ବାଲେଶ୍ୱର ଜୋନ୍ ଟାଙ୍କିଗାଡ଼ି ମାଲିକ ସଂଘର ବାର୍ଷିକ ସମ୍ମିଳନୀ
ବାଲେଶ୍ୱର : ବାଲେଶ୍ୱର ସହର ଷ୍ଟେସନ ଛକ ସ୍ଥିତ ଏକ ଘରୋଇ କଲ୍ୟାଣମଣ୍ଡପ ଦୁର୍ଗା ଗାର୍ଡ଼େନ୍ ସମ୍ମିଳନୀ କକ୍ଷରେ ବାଲେଶ୍ୱର ଜୋନ୍ ଟାଙ୍କିଗାଡ଼ି ମାଲିକ ସଂଘର ବାର୍ଷିକ ସମ୍ମିଳନୀ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଯୋଗଦେଇ ପୂର୍ବତନ ସାଂସଦ ତଥା ବିଜେଡ଼ି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା କହିଥିଲେ କି, ଅଶୋଧିତ ତୈଳର ଦର ନିୟନ୍ତ୍ରଣ ଓପେକ୍ ସଂଗଠନ କରୁଥିବା ବେଳେ ତୈଳ ବିଶୋଧନ ପରେ ତୈଳ କମ୍ପାନୀଗୁଡ଼ିକ ନିଜର ଦର ନିର୍ଦ୍ଧାରଣ ଓ ଲାଭାଂଶ ଧାର୍ଯ୍ୟ କରୁଛନ୍ତି । ସେହିପରି ବିପିସିଏଲ୍, ଏଚପିସିଏଲ ଓ ଆଇପିସିଏଲ ନିଜର ଲାଭଂଶକୁ ନିର୍ଦ୍ଧାରଣ କରୁଛନ୍ତି । ହେଲେ ସବା ତଳେ ରହିଥିବା ପରିବହନ ସଂସ୍ଥାଗୁଡ଼ିକ ସଂଘବଦ୍ଧ ନଥିବାରୁ ସେମାନଙ୍କୁ ପରିବହନ ଖର୍ଚ୍ଚ ଓ ଲାଭକୁ ସେମାନେ ନିଜେ ନିର୍ଦ୍ଧାରଣ କରିପାରୁ ନାହାଁନ୍ତି । ଭାରତର ତୈଳ ବିପଣନ କମ୍ପାନୀଗୁଡ଼ିକ ଏହାଦ୍ୱାରା ଅସାଧୁ ବ୍ୟବସାୟ କରୁଛନ୍ତି । ତେଣୁ ପରିବହନକାରୀ ଟ୍ୟାଙ୍କର ସଂଘଗୁଡ଼ିକ ନ୍ୟାୟାଳୟଙ୍କ ଆଶ୍ରୟ ନେବା ଆବଶ୍ୟକ ।
ଭବିଷ୍ୟତରେ ତୈଳ କମ୍ପାନୀ ଓ ବିପଣନ କମ୍ପାନୀଗୁଡ଼ିକ ପରିବହନକାରୀ ସଂସ୍ଥାକୁ ଅଧିକ ବିପଦରେ ପକାଇବାର ଆଶଙ୍କା ଉପୁଜିଛି ବୋଲି ଶ୍ରୀ ଜେନା କହିଛନ୍ତି । ଏଥିରେ ଅତିଥି ଭାବେ ବିଧାୟକ ସ୍ୱରୂପ କୁମାର ଦାସ ଯୋଗଦେଇ କହିଥିଲେ କି, ଏହା ଉପରେ ସେ ନିଜର ଅନ୍ୟ ବିଧାୟକ ବନ୍ଧୁଙ୍କ ସହ ମିଶି ବିଧାନସଭାରେ ପ୍ରଶ୍ନ ଉତ୍ଥାପନ କରିବେ । ଆବଶ୍ୟକ ପଡ଼ିଲେ ଏହି ପ୍ରସଙ୍ଗକୁ ସର୍ବଭାରତୀୟ ସ୍ତରରେ ସଂଘ ଉତ୍ଥାପନ କରିବାର ବେଳ ଆସିଯାଇଛି । ସମ୍ପାଦକ ପ୍ରଦୀପ କୁମାର ଦାସ ଏହି ସଭାକାର୍ଯ୍ୟ ପରିଚାଳନା କରି କିଭଳି ମୟୂରଭଞ୍ଜର ୧୨ଟି ଟ୍ୟାଙ୍କର ମାଲିକ ଶିଳ୍ପାଂଚଳ ଥାନା ଅଧିକାରୀଙ୍କ ସହ ମିଶି ଏକ ପାଖବଆ ନିଷ୍ପତି ନେଉଛନ୍ତି ସେ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ପୋଲିସ ଆଇଜିଙ୍କ ସହ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ । ବିଗତ ୭ବର୍ଷ ମଧ୍ୟରେ ତୈଳ ବିପଣନ କମ୍ପାନୀଗୁଡ଼ିକ ମାତ୍ର ୭ ପଇସା ଦରବୃଦ୍ଧି କରିଥିବା ବେଳେ ଡିଜେଲ, ମୋବିଲ, ଇଞ୍ଜିନ ଅଏଲ, ଟାୟାର, ଟ୍ୟୁବ ଓ କର୍ମଚାରୀଙ୍କ ଦରମା ୩୦ଗୁଣ ଇତିମଧ୍ୟରେ ବୃଦ୍ଧି ପାଇଛି । ପ୍ରତି ମାସ ଗୋଟିଏ ଟ୍ୟାଙ୍କର ଅଢ଼େଇ ହଜାର କି.ମି. ଗଲେ ଯାଇ ଲାଭ ବାହାରିବ । ମାତ୍ର ତୈଳ ବିପଣନ ସଂସ୍ଥାଗୁଡ଼ିକ ପ୍ରତିବର୍ଷ ନୂଆ ନୂଆ ନିୟମ ସୃଷ୍ଟି କରିବା ସହ ତୈଳ ଡିଲର୍ ଓ ଟ୍ୟାଙ୍କର ମାଲିକଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବାପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଏଥିରେ ଓଡ଼ିଶା ଉତ୍କଳ ଟ୍ୟାଙ୍କର-ଟ୍ରକ୍ ମାଲିକ ସଂଘ ରାଜ୍ୟ ସମ୍ପାଦକ ସଞ୍ଜୟ କୁମାର ଲାଠ୍, ଜିଲ୍ଳା ସଭାପତି ରାମରତନ ପ୍ରସାଦ ମୋର୍, ଉପସଭାପତି ଭକ୍ତରଞ୍ଜନ ପଟ୍ଟନାୟକ, ମୟୂରଭଞ୍ଜ ମହାସଂଘ ସଭାପତି ଶ୍ୟାମପ୍ରକାଶ ଅଗ୍ରୱାଲ ପ୍ରମୁଖ ଉଦ୍ବୋଦନ ଦେଇ ସଂଘର କର୍ମକର୍ତା ଓ ସଦସ୍ୟମାନେ ଏକଜୁଟ୍ ହୋଇ ତୈଳ ବିପଣନ ସଂସ୍ଥାଗୁଡ଼ିକର ବେଆଇନ କାର୍ଯ୍ୟ ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ପରାମର୍ଶ ଦେଇଥିଲେ । ସଂଘର କର୍ମକର୍ତା ନରେନ୍ଦ୍ର କୁମାର ସ୍ୱାଇଁ, କ୍ଷୀରୋଦ କୁମାର ମଲ୍ଲିକ, ତପନ କୁମାର ଶାହା, ଅଜୟ କୁମାର ମହାନ୍ତି, ଶ୍ରୀକୃଷ୍ଣ ସାହୁ, ଭାଗବତ ମହାପାତ୍ର, ଜୟହିନ୍ଦ ଯାଦବ, ସୁବୋଧ ମହାନ୍ତି, ଉତମ କୁମାର ପାତ୍ର, ବସନ୍ତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।
