୩.୫ କୋଟି ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ଶବଦାହ ଗୃହ ଖାନନଗର ଶ୍ମଶାନ ପରିଦର୍ଶନ କଲେ ମେୟର ଓ ସିଏମସି କମିଶନର
କଟକ : ଖାନନଗରଠାରେ ୩.୫ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ଶବଦାହ ଗୃହ ନିର୍ମାଣ କରାଯିବ । ଆଗାମୀ ୩ ମାସ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରାଯିବ ବୋଲି ଆଜି କଟକ ମହାନଗର ନିଗମ ପକ୍ଷରୁ କୁହାଯାଇଛି । ବୁଧବାର ପୂର୍ବାହ୍ନରେ ସିଏମସି ମେୟର ସୁବାସ ସିଂହ, କମିଶନର ନିଖିଲ ପୱନ କଲ୍ୟାଣ ଖାନନଗରସ୍ଥିତ ଶ୍ମଶାନରେ ପହଂଚି ପ୍ରକଳ୍ପ କାର୍ଯ୍ୟକୁ ଅନୁଧ୍ୟାନ କରିବା ସହ ଯେପରି ଧାର୍ଯ୍ୟ ସମୟ ଭିତରେ ତାହା ଶେଷ ହେବ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ । ପ୍ରକଳ୍ପ ନିର୍ମାଣ ପାଇଁ ଗେଲ ଇଣ୍ଡିଆ ପକ୍ଷରୁ ସିଏସଆର ମାଧ୍ୟମରେ ଆବଶ୍ୟକ ଅନୁଦାନ ରାଶି ଯୋଗାଇ ଦିଆଯାଇଛି । ଗ୍ୟାସ୍ ଦ୍ୱାରା ଏକାଥରକେ ଦୁଇଟି ଶବ ଦାହ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ବିଶ୍ରାମଗାର, ଗାଧୁଆଘର ଓ ପାର୍କିଂ ସ୍ଥଳ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ଏକ ମାଷ୍ଟନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି ବୋଲି କମିଶନର ଶ୍ରୀ କଲ୍ୟାଣ ସୂଚନା ଦେଇଛନ୍ତି । ରାଜ୍ୟରେ ଏହିଭଳି ଶବଦାହ ଗୃହ ପ୍ରଥମ ବୋଲି ମେୟର ଶ୍ରୀ ସିଂହ କହିବା ସହ ପରିବେଶ ସୁରକ୍ଷା ଦିଗରେ ଅଧିକ ଗୁରୁତ୍ୱ ଦିଆଯାଇଥିବା କହିଥିଲେ । ସେହିପରି ଶବଦାହ ଗୃହ କମ୍ପେ୍ଲକ୍ସ ମଧ୍ୟରେ କାଠରେ ଦାହ ବ୍ୟବସ୍ଥା ବି ରହିବ ବୋଲି ନିଷ୍ପତି ନିଆଯାଇଛି । ମେୟର ଓ କମିଶନର ପ୍ରକଳ୍ପର ଅଗ୍ରଗତି ବୁଲି ଦେଖିବା ସମୟରେ ଡେପୁଟି ମେୟର ଦମୟନ୍ତୀ ମାଝି, ସ୍ଥାନୀୟ ବିଧାୟକ ସୈାଭିକ ବିଶ୍ୱାଳ, କର୍ପୋରେଟର ପ୍ରଦୀପ୍ତ ଖୁଣ୍ଟିଆ ଓ ଦିପ୍ତୀମୟୀ ମୁଳିିଆଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।
