ଟି-୨୦ ବିଶ୍ବକପ୍ : ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ମୟାପ୍ପନ
ମେଲବର୍ଣ୍ଣ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ଇତିହାସ ରଚିଲେ ୟୁଏଇର ସ୍ପିନର ତଥା ଭାରତୀୟ ମୂଳ ନିବାସୀ କାର୍ତ୍ତିକ ମୟପ୍ପନ। ଟି-୨୦ ଅନ୍ତର୍ଜାତୀୟରେ ମଙ୍ଗଳବାର ସେ ଶ୍ରୀଲଙ୍କା ବିପକ୍ଷରେ ହ୍ୟାଟ୍ରିକ ନେଇ ଇତିହାସ ରଚିବା ସହ ପ୍ରଥମ ୟୁଏଇ ବୋଲର ହେବାର ରେକର୍ଡ କରିଛନ୍ତି। ଏଥିସହ ମୟାପ୍ପନ ଚଳିତ ବିଶ୍ବକପର ପ୍ରଥମ ହ୍ୟାଟ୍ରିକ ଟେକର ହୋଇଛନ୍ତି ।
ଜିଲାଙ୍ଗ ସାଇମଣ୍ଡ୍ସ ଷ୍ଟାପିୟମରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଗ୍ରୁପ ଏର ଯୋଗ୍ୟତା ପର୍ଯ୍ୟାୟ ମୁକାବିଲରେ ତିନି ବଲ୍ରେ ଲଗାତାର ତିନି ଓ୍ଵିକେଟ୍ ନେଇ ନିଜର ହ୍ୟାଟ୍ରିକ ପୂରା କରିଛନ୍ତି ମୟପ୍ପନ। ଟି-୨୦ ବିଶ୍ଵ କପ୍ରେ ହ୍ୟାଟ୍ରିକ ନେବାରେ ଦୁନିଆର ସେ ହେଉଛନ୍ତି ପଞ୍ଚମ ବୋଲର। ଚଳିତ ବିଶ୍ଵ କପ୍ର ଏହା ହେଉଛି ପ୍ରଥମ ହ୍ୟାଟ୍ରିକ୍। ତାମିଲନାଡୁର ଚେନ୍ନାଇରେ ଜନ୍ମିତ ୨୨ ବର୍ଷୀୟ ଯୁବ ସ୍ପିନର ଶ୍ରୀଲଙ୍କା ଇନିଂସର ୧୫ତମ ଓଭରରେ ନିଜର ହ୍ୟାଟ୍ରିକ ପୂରା କରିଛନ୍ତି। ସେ ୧୫ତମ ଓଭରର ଚତୁର୍ଥ ବଲ୍ରେ ଭାନୁକା ରାଜପକ୍ଷ(୫), ଚରିଥ ଅସଲଙ୍କା(୦) ଏବଂ ଅଧିନାୟକ ଦାସୁନ ଶନକା(୦)ଙ୍କୁ ପାଭିଲିୟନ ପଠାଇ ହ୍ୟାଟ୍ରିକ ଓ୍ଵିକେଟ୍ ନେଇଛନ୍ତି। ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ବ୍ରେଟ୍ ଲି, ଆୟରଲାଣ୍ଡର କୁର୍ଟି କମ୍ଫର, ଶ୍ରୀଲଙ୍କାର ଓ୍ଵାନିନ୍ଦୁ ହସରଙ୍ଗା ଏବଂ ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ଟି-୨୦ ବିଶ୍ଵ କପ୍ରେ ହ୍ୟାଟ୍ରିକ ନେବାର ଉପଲବ୍ଧି ହାସଲ କରିଛନ୍ତି।
ଦିବଙ୍ଗତ ସ୍ପିନର ଶେନ ଓ୍ଵର୍ଣ୍ଣଙ୍କୁ ନିଜର ଆଦର୍ଶ ମାନୁଥିବା ଭାରତୀୟ ମୂଳ ନିବାସୀ ସ୍ପିନର ମୟପ୍ପନ ଚାରି ଓଭରର ୧୯ ରନ ବ୍ୟୟ କରି ୩ ଓ୍ଵିକେଟ୍ ନେଇଛନ୍ତି। ଆଇସିସିର ସହାୟକ ଦେଶର ପ୍ରଥମ ବୋଲର ଭାବେ ସେ ଆାଇସିସି ଟି-୨୦ ବିଶ୍ଵ କପ୍ରେ ହ୍ୟାଟ୍ରିକ ନେବାର ଉପଲବ୍ଧି ହାସଲ କରିଛନ୍ତି।
