୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ୮୦% ଅଂଚଳରେ ଉପଲବ୍ଧ ହୋଇଥିବ ୫ଜି ସେବା : ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର : ଓଡ଼ିଶାରେ ଆସନ୍ତାବର୍ଷ ୫ଜି ସେବା ଆରମ୍ଭ ହେବ । ୫ଜିର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୮ ସହର ରହିଛି । ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଏସବୁ ସହରରେ ୫ଜି ମୋବାଇଲ ସେବା ଉପଲବ୍ଧ ହୋଇଥିବ । ପ୍ରଥମେ ଏହି ବଡ ସହର ପରେ ଅନ୍ୟ ସହର ଓ ଗ୍ରାମାଂଚଳରେ ଏହି ସେବା ଆରମ୍ଭ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ୮୦ ପ୍ରତିଶତ ଅଂଚଳରେ ୫ଜି ସେବା ଉପଲବ୍ଧ ହୋଇଥିବ । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭୁବନେଶ୍ୱରରେ ଏହି ସୂଚନା ଦେଇଛନ୍ତି ।
ଶ୍ରୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮ଟି ସହରରେ ୫ଜି ସେବା ଉପଲବ୍ଧ ହେବ । ସେହିପରି ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ୮୦% ଅଂଚଳରେ ୫ଜି ସେବା ମିଳିବ । ୫ଜିରେ ୪ଜିଠୁ ୧୦ ଗୁଣା ସ୍ପିଡ୍ ସେବା ମିଳିବ । ଆବଶ୍ୟକ ସ୍ଥଳରେ ଏହି ସ୍ପିଡ୍ ୧୦୦ ଗୁଣା ଯାଏଁ ବଢ଼ିବ । ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ ୫ଜି । ପ୍ରାଥମିକ ପର୍ଯ୍ୟାୟରେ ଦେଶର ୧୩ଟି ସହରରେ ୫ଜି ସେବା ଆରମ୍ଭ ହୋଇଛି । ସେଗୁଡ଼ିକ ହେଉଛି- ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକତା, ଚେନ୍ନାଇ, ଲକ୍ଷେ୍ମø, ପୁନେ, ଦିଲ୍ଲୀ ଓ ମୁମ୍ବାଇ । ୫ଜି ସେବା ସହିତ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ କାମ ନେଇ ମଧ୍ୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ସେ କହିଛନ୍ତି, କାମ ଜୋରରେ ଚାଲିଛି । ୧୦୦ କିମି ଜଙ୍ଗଲ ଜମି ନେଇ ସମସ୍ୟା ରହିଛି । ସମସ୍ୟାର ସମାଧାନ ନେଇ ରାଜ୍ୟ ସରକାରଙ୍କ ପଛରେ ଲାଗି ପଡ଼ିଥିଲୁ । ଏବେ ରାଜ୍ୟ ସରକାର ସୁପାରିସ କରିଛନ୍ତି, ଶୀଘ୍ର ଅନୁମତି ମିଳିଯିବ । ଓଡ଼ିଶାର ଏହି ସ୍ୱପ୍ନର ପ୍ରକଳ୍ପ ଖୁବଶୀଘ୍ର ବାସ୍ତବ ରୂପ ନେବ । ଏହା ସହିତ ଭୁବନେଶ୍ୱର ରେଳ ଷ୍ଟେସନ ଖୁବଶୀଘ୍ର ବିଶ୍ୱସ୍ତରୀୟ ହେବ ବୋଲି ସେ କହିଛନ୍ତି ।
