ଉତ୍କଳ ସେବକ ସମାଜରେ ଦାନ ଉତ୍ସବ
କଟକ : ସାମାଜିକ ସଂଗଠନ ଉତ୍କଳ ସେବକ ସମାଜ ସମ୍ମିଳନୀ କକ୍ଷରେ ଯତ୍ନ ଓ ସୁରକ୍ଷା (ବିହାନ) ପ୍ରକଳ୍ପ ଆନୁକୂଲ୍ୟରେ ଦାନ ଉତ୍ସବ ପାଳନ ହୋଇଯାଇଅଛି । ଏହି ଉତ୍ସବରେ ଏଚ୍.ଆଇ.ଭି ସଂକ୍ରମିତ ବ୍ୟକ୍ତି, ରୋଟାରୀ କ୍ଲବ୍ ର ସଦସ୍ୟ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଓ ସଭ୍ୟ, ଉତ୍କଳ ସେବକ ସମାଜର ସମ୍ପାଦକଙ୍କ ସମେତ ବିହାନ ପ୍ରକଳ୍ପର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ପ୍ରକଳ୍ପ ସଂଯୋଜିକା ରଶ୍ମିତା ପ୍ରଧାନ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ଦାନ ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଏହି ବୈଠକରେ ଉତ୍କଳ ସେବକ ସମାଜର ସମ୍ପାଦକ ଅମୀୟ ଭୂଷଣ ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ମନ୍ଦାକିନୀ ଜେମା ମୂଖ୍ୟ ଅତିଥି ଓ ସଭ୍ୟ ଚିତ୍ତରଞ୍ଜନ ମହାନ୍ତି ମୂଖ୍ୟ ବକ୍ତା ଭାବରେ ଯୋଗଦେଇ ଦାନ ଉତ୍ସବକୁ କେବଳ ଗୋଟିଏ ଦିନର କାର୍ଯ୍ୟକ୍ରମରେ ସିମିତ ନ ରଖି ବ୍ୟକ୍ତି, ସମାଜ ଓ ବିଶ୍ୱ ମଙ୍ଗଳ କାର୍ଯ୍ୟକ୍ରମରେ ସର୍ବଦା ବ୍ରତୀ ହେବାକୁ ଆହ୍ୱାନ କରିଥିଲେ । ରୋଟାରୀ କ୍ଲବ୍ ର ସମ୍ପାଦକ ରଶ୍ମିରଞ୍ଜନ ରାଉତରାୟ ଆଗାମୀ ଦିନରେ ଉତ୍କଳ ସେବକ ସମାଜ ସହିତ ଜଡିତ ରହି ବିଭିନ୍ନ ସମାଜସେବା କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଏଚ୍.ଆଇ.ଭି ସଂକ୍ରମିତ ବ୍ୟକ୍ତିମାନଙ୍କୁ ରୋଟାରୀ କ୍ଲବ୍ ଓ କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ ରୁ ପ୍ରାପ୍ତ କମ୍ବଳ, ବିସ୍କୁଟ ଏବଂ ବିହାନ ପ୍ରକଳ୍ପର ଉଦ୍ୟମରେ ଶ୍ରମ ବିଭାଗ ତରଫରୁ ମଞ୍ଜୁର ହୋଇଥିବା ଶ୍ରମ କାର୍ଡ଼କୁ ବିତରଣ କରାଯାଇଥିଲା । ଶେଷରେ ବାସୁଦେବ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ ।
