ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ : ମେକ୍ସିକୋକୁ ୨-୧ରେ ହରାଇଲା ଚୀନ୍
ଭୁବନେଶ୍ବର: ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ରେ ବିଜୟରୁ ଅଭିଯାନ ଆରମ୍ଭ କଲା ଚୀନ୍ । ଏହି ବିଶ୍ବକପ୍ରେ ଚୀନ୍ର ଏହା ତୃତୀୟ ବିଜୟ । ପୂର୍ବରୁ ୨୦୧୨ରେ ଏହି ଦଳ ଉରୁଗୁଏକୁ ଏବଂ ୨୦୧୪ରେ କଲମ୍ବିଆକୁ ପରାସ୍ତ କରିଥିଲା।
ବୁଧବାର ନଭି ମୁମ୍ବାଇ ସ୍ଥିତ ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ୍-ସି’ର ପ୍ରଥମ ମ୍ୟାଚ୍ରେ ଚୀନ୍ ୨-୧ ଗୋଲ୍ରେ ୨୦୧୮ର ଉପବିଜେତା ମେକ୍ସିକୋକୁ ପରାସ୍ତ କରିଥିଲା। ମ୍ୟାଚ୍ର ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟ ରହିଥିଲା। ହେଲେ ୪୯ତମ ମିନିଟ୍ରେ ଚୀନ୍କୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ରୁକି କିଆଓ ଗୋଲ୍ରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ୯୦ତମ ମିନିଟ୍ରେ ଜି ୟିଙ୍କ ପାସ୍କୁ ୟୁ ଜିଙ୍ଗୟୁଏ ମେକ୍ସିକୋ ଗୋଲ୍ ପୋଷ୍ଟକୁ ବଲ୍ ପଠାଇ ଚୀନ୍କୁ ବିଜୟ ଦିଗରେ ଅଗ୍ରସର କରିଥିଲେ। ତେବେ ଇନ୍ଜୁରି ସମୟରେ ମେକ୍ସିକୋ ଗୋଟିଏ ଗୋଲ୍ ଶୁଝି ବିଜୟ ବ୍ୟାବଧାନକୁ ୧-୨ କରିଥିଲେ। ଏମ୍ ସାଲିଦିଭରଙ୍କ ପାସ୍ରେ କାଥେରିନ ଗୁଇଜାରୋ (୯୦+୪ ମିନିଟ୍) ଏହି ଗୋଲ୍ଟି ଦେଇଥିଲେ। ୟିନ୍ ଲିହଙ୍ଗ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ଗ୍ରୁପ୍ର ଅନ୍ୟ ଏକ ମ୍ୟାଚ୍ରେ ସ୍ପେନ୍ ୧-୦ ଗୋଲ୍ରେ କଲମ୍ବିଆକୁ ହରାଇଥିଲା। ବିଜୟ ସୂଚକ ଗୋଲ୍ଟି ଜୋନ ଆମେଜାଗା (୮୫ ମିନିଟ୍) ଦେଇଥିଲେ। ବିଜୟୀ ଦଳର ବିକି ଲୋପେଜ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ।
