ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟ ଛାତରୁ ପଡି ଆଦିବାସୀ ଯୁବତୀ ମୃତ।
ବାଲିଆପାଳ : ବାଳିଆପାଳ ବ୍ଲକ ଅନ୍ତର୍ଗତ କୋଷ୍ଟକେନାଲ ନିକଟସ୍ଥ ଅରକିଡ଼ ମେରାଇନ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟ ଛାତରୁ ପଡି ଆଦିବାସୀ ଯୁବତୀଙ୍କ ମୃତ୍ୟୁ ଘଟିଛି।ତେବେ ଉକ୍ତ ଆଦିବାସୀ ଯୁବତୀଙ୍କ ମୃତ୍ୟୁ କୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗିଥିବାବେଳେ ପୁଲିସ ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।ଘଟଣାରୁ ପ୍ରକାଶ ଯେ ମୟୁରଭଞ୍ଜ ଜିଲ୍ଲା କୁଚୁଳାଖୁଣ୍ଟା ଗ୍ରାମର ଅଜୟ ସିଂଙ୍କ ଝିଅ ଦିନି (୧୮) ଓ ଦିନିର ମାଆ ଦୁହେଁଏକ ସପ୍ତାହ ତଳେ ଚିଙ୍ଗୁଡ଼ି ପ୍ଲାଣ୍ଟରେ କାର୍ଯ୍ୟରେ ନିୟୁଜିତ ହୋଇଥିଲେ।ପ୍ଲାଣ୍ଟରେ କାର୍ଯ୍ୟରତ ଅନ୍ୟ ଶ୍ରମିକ ମାନଙ୍କ କହିବା ଅନୁଯାୟୀ ମଙ୍ଗଳବାର ମଧ୍ୟହ୍ନରେ ଖାଇସାରି ଦିନି ଛାତ ଉପରକୁ ଯାଇ ମୋବାଇଲରେ କଥା ହେଉଥିବା ବେଳେ ତଳକୁ ପଡିଯାଇଥିଲା।ଦିନିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବାଲିଆପାଳ ହସ୍ପିଟାଲ ନିଆଯାଥିଲା।ଅବସ୍ଥା ଗୁରୁତର ହେବାରୁ ବାଲେଶ୍ଵର ମୁଖ୍ୟ ହସ୍ପିଟାଲକୁ ପଠାଯାଇଥିଲା।ସେଠାରେ ତାର ମୃତ୍ୟୁ ଘଟିଛି।ତେବେ ଦିନିର ମୃତ୍ୟୁକୁ ନେଇ ଏବେ ବିଭିନ୍ନ କଳ୍ପନା ଜଳ୍ପନା ଲାଗିଛି।କାହିଁକି ଦିନି ଛାତ ଉପରୁ ତଳକୁ ପଡିଲା ନା ତାକୁ କେହି ଠେଲିଦେଲା ନା ଆଉ କିଛି ଥାଇପାରେ।ପୁଣି ଦିନିକୁ ବାଲିଆପାଳରୁ ବାଲେଶ୍ଵର ନେବା ବାଟରେ ରେମୁ ଛକରେ ଅଧିକ ସମୟ ଗାଡିକୁ କାହିଁକି ଛିଡା କରାଯାଇଥିଲା ବୋଲି କେତେକ କହିଛନ୍ତି।ତେବେ ଏ ନେଇ ଦିନିର ପରିବାର ପକ୍ଷରୁ କୌଣସି ଅଭିଯୋଗ ଆସି ନ ଥିବା ବେଳେ ବାଲିଆପାଳ ଥାନାରେ କୌଣସି ଅଭିଯୋଗ ମଧ୍ୟ ହୋଇ ନ ଥିବା ପୁଲିସ କହିଛି।ପରେ ଯଦି କିଛି ଅଭିଯୋଗ ଆସେ ତେବେ ତଦନ୍ତ କରାଯିବ ବୋଲି ବାଲିଆପାଳ ଆଇ ଆସିସି ସୁବ୍ରତ ବେହେରା କହିଛନ୍ତି।
