୪୧ ଦାଦନ ଶ୍ରମିକ ଉଦ୍ଧାର, ୪ ସର୍ଦ୍ଦାର ଗିରଫ
ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ, ବେଲପଡ଼ା ଓ ଲାଠୋର ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ସମୁଦାୟ ୪୧ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟପଟେ ୪ଜଣ ଦାଦନ ସର୍ଦ୍ଦାରଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରିବା ପରେ ସେମାନଙ୍କ ପାଖରେ ଆବଶ୍ୟକୀୟ କାଗଜ ପତ୍ର ନଥିବାରୁ ମକଦ୍ଦମା ରୁଜୁ କରି ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଛି ।
ଖପ୍ରାଖୋଲ ଥାନା ଅନ୍ତଗର୍ତ ଧଣ୍ଡାମୁଣ୍ଡା ହାଇସ୍କୁଲ ଛକରେ ପୁଲିସ ପେଟ୍ରାଲିଂ କରୁଥିବାବେଳେ ଭାନପୁରରୁ ହାଇଦ୍ରାବାଦକୁ ଜଣେ ଶ୍ରମିକଙ୍କୁ ଚାଲାଣ କରାଯାଉଥିବାବେଳେ ଖବର ପାଇ ଏସଏଆଇ ଗୋପୀନାଥ ମହାକୁଡ଼ଙ୍କ ନେତୃତ୍ୱରେ ଚଢ଼ଉ କରି ଏକ ବେଲେରୋ ଗାଡ଼ିରୁ ୧୫ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୪ଜଣ ପୁରୁଷ, ୬ଜଣ ମହିଳା ଓ ୫ଜଣ ଛୋଟ ପିଲାଙ୍କୁ ରହିଛନ୍ତି । ଏଥିରେ ବେଲପଡ଼ା ଥାନା ଅନ୍ତର୍ଗତ ଜାମଜୁରୀର ବିଶ୍ୱନାଥ ତାଣ୍ଡି ଓ ଗାଡ଼ି ଚାଳକ ଧବଲେଶ୍ୱର ସାହୁଙ୍କୁ ଗିରଫ କରାଯାଇ ଥିବାବେଳେ ମୁଖ୍ୟ ସର୍ଦ୍ଦାର ବେଲପଡ଼ା ମୁନାପାଲିର ଅଶୋକ ମହାନନ୍ଦ ଫେରାର ଥିବା ସୂଚନା ମିଳିଛି । ସେହିପରି ବେଲପଡ଼ା ପୁଲିସ ପେଟ୍ରୋଲିଂ କରୁଥିବାବେଳେ ଭାପଡ଼ା ଗ୍ରାମର ଡମ୍ବରୁ ଜାଲ ନାମକ ଏକ ସର୍ଦ୍ଦାରଙ୍କ ଘରୁ ୧୪ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ସର୍ଦ୍ଦାରକୁ ଗିରଫ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଲୋଠାର ଥାନା ପକ୍ଷରୁ ମଧ୍ୟ ଚଢ଼ଉ କରି ଏକ ପିକଅପ ଭ୍ୟାନରୁ ୧୨ଜଣ ଶ୍ରମିକଙ୍କୁ ଉଦ୍ଧାର ସେମାନଙ୍କୁ ନିଜ ନିଜ ଗ୍ରାମକୁ ପଠାଇ ଦେଇଥିବା ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
