ଟି-୨୦ ବିଶ୍ବକପ୍ : ଏହି ୪ ଖେଳାଳିଙ୍କୁ ଛାଡି ଅଷ୍ଟ୍ରେଲିଆ ଗସ୍ତରେ ଗଲା ଭାରତ
ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଖେଳାଯିବ ଆଇସିସି ଟି-୨୦ ବିଶ୍ବକପ । ଏଥିପାଇଁ ଗୁରୁବାର ୧୪ ଜଣିଆ ଭାରତୀୟ ଦଳ ମୁମ୍ବାଇରୁ ସିଡନୀ ଅଭିମୁଖେ ଯାତ୍ରା କରିଛନ୍ତି। ୧୬ ତାରିଖରୁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଓ ୨୨ରୁ ସୁପର-୧୨ ଆରମ୍ଭ ହେବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପ୍ରଥମ ଥର ବିଶ୍ୱକପ ଖେଳିବ। ଅକ୍ଟୋବର ୨୩ରେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଭାରତ ବିଶ୍ୱକପର ପ୍ରଥମ ମ୍ୟାଚ ଖେଳିବ। ମେଲବର୍ଣ୍ଣରେ ଏହି ମ୍ୟାଚ ଖେଳାଯିବ। ତେବେ ଗୁରୁବାର ଟିମ ଇଣ୍ଡିଆର ଚାରି ଜଣ ଖେଳାଳି ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡିଛନ୍ତି। ସେମାନେ ଆସନ୍ତା ସପ୍ତାହରେ ଟିମରେ ସାମିଲ ହେବାର ସମ୍ଭାବନା ଅଛି।
ଦୁଇ ସପ୍ତାହ ପୂର୍ବରୁ ଭାରତ ତାର ଟି-୨୦ ବିଶ୍ବକପ କ୍ୟାମ୍ପେନ ଆରମ୍ଭ କରିଦେଇଛି। ପ୍ରଥମେ ଅଷ୍ଟ୍ରେଲିଆ ଓ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିଛି। ଟିମ ଇଣ୍ଡିଆର ଅର୍ଦ୍ଧାଧିକ ଖେଳାଳି ବିଶ୍ୱକପ ପାଇଁ ଚୟନ ହୋଇଛନ୍ତି। ଏପରି କି ସ୍ୱାର୍ଡରେ ଥିବା ଅନେକ ଖେଳାଳିଙ୍କ ନିକଟରେ ଅଷ୍ଟ୍ରେଲିଆରେ ଖେଳିବାର ଅଭିଜ୍ଞତା ନାହିଁ। ଯେଉଁଥିପାଇଁ ମ୍ୟାନେଜମେଣ୍ଟ ପକ୍ଷରୁ ଖେଳାଳିଙ୍କୁ ଆଗୁଆ ସେଠାକୁ ନେବାପାଇଁ ଯୋଜନା କରାଯାଇଛି। ଫଳରେ ଅଷ୍ଟ୍ରେଲିଆ ଗ୍ରାଉଣ୍ଡରେ ଅଭ୍ୟାସ କରିବା ପାଇଁ ଖେଳାଳିଙ୍କୁ ପ୍ରଯ୍ୟାପ୍ତ ସମୟ ମିଳିବ। ଟିମ ଇଣ୍ଡିଆ ପ୍ରଥମେ ପାର୍ଥରେ ରହି ସପ୍ତାହେ ପ୍ରାକ୍ଟିସ କରିବ, ତାପରେ ବ୍ରିସବେନ ଯାତ୍ରା କରିବେ। ସେଠାରେ ୧୭ ତାରିଖରେ ଅଷ୍ଟ୍ରେଲିଆ ଓ ୧୯ ତାରିଖରେ ଭାରତ ଦୁଇଟି ୱାର୍ମଅପ ମ୍ୟାଚ୍ ଖେଳିବ।
ଗୁରୁବାର ପାହାନ୍ତାରେ ଟିମ ଇଣ୍ଡିଆର ଖେଳାଳି ଓ ସପର୍ଟ ଷ୍ଟାଫମାନେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛନ୍ତି। ବିସିସିଆଇ ପକ୍ଷରୁ ଖେଳାଳିଙ୍କ ଫଟୋ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି। ଖେଳାଳିଙ୍କ ସହ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ମଧ୍ୟ ଅଷ୍ଟ୍ରେଲିଆ ଯାଇଛନ୍ତି। ବର୍ତ୍ତମାନ କେବଳ ୧୪ ଜଣ ଖେଳାଳି ଅଷ୍ଟ୍ରେଲିଆ ଯାତ୍ରା କରିଥିବା ବିସିସିଆଇ ସୂଚନା ଦେଇଛି। ବ୍ୟାକ୍ ଇଞ୍ଜୁରୀ ପାଇଁ ଜଶପ୍ରୀତ ବୁମରା, ବିଶ୍ୱକପ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ତାଙ୍କ ସ୍ଥାନରେ ପେସର ମହମ୍ମଦ ସାମୀଙ୍କୁ ସାମିଲ କରାଯିବାର ସମ୍ଭାବନା ଅଛି। କିନ୍ତୁ ଏଥିପାଇଁ ତାଙ୍କର ଫିଟନେସ୍ ଯାଞ୍ଚ କରାଯିବ, କାରଣ ନିକଟରେ ସାମୀ କୋରୋନାରେ ସଂକ୍ରମିତ ହୋଇଥିଲେ। କୋରୋନା ପାଇଁ ସେ ଘରୋଇ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ଖେଳିପାରିନଥିଲେ।
ଆସନ୍ତା ସପ୍ତାହରେ ଶ୍ରେୟାସ ଆୟାର, ଦୀପକ ଚହର, ରବି ବିଷ୍ଣୋଇ ଓ ମହମ୍ମଦ ସାମୀ, ଅଷ୍ଟ୍ରେଲିଆ ଗସ୍ତ କରିପାରନ୍ତି। ଗୁରୁବାର ଠାରୁ ଲକ୍ଷ୍ନୌରେ ଦକ୍ଷିଣ ଆଫ୍ରିକା ବନାମ ଭାରତ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେଉଛି। ଦ୍ୱିତୀୟ ମ୍ୟାଚ ୯ ତାରିଖ (ରାଞ୍ଚି) ଓ ଶେଷ ମ୍ୟାଚ ୧୧ ତାରିଖ (ଦିଲ୍ଲୀ) ରେ ଖେଳାଯିବ। ଏଥିରେ ଶିଖର ଧାୱନ ଅଧିନାକତ୍ୱ କରୁଛନ୍ତି। ଦଳରେ ସଞ୍ଜୁ ସାମସନ, ଶୁବମାନ ଗିଲ, ଶ୍ରେୟସ ଆୟର, ରଜତ ପାଟିଦାର, ଇଶାନ କିଶନ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, କୁଲଦୀପ ଯାଦବ, ଆବେଶ ଖାନ, ମହମ୍ମଦ ସିରାଜ, ରାହୁଲ ତ୍ରିପାଠୀ, ମୁକେଶ କୁମାର, ଋତୁରାଜ ଗାଏକୱାର୍ଡ, ସାହାବାଜ୍ ଅହମ୍ମଦ ଓ ରବି ବିଷ୍ଣୋଇ ପ୍ରମୁଖ ଅଛନ୍ତି।
ଟି-୨୦ ବିଶ୍ୱକପ ପାଇଁଭାରତୀୟ ଦଳ :
ରୋହିତ ଶର୍ମା (କ୍ୟାପଟେନ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିପକ ହୁଡ୍ଡା, ରିଷବ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନୀ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଯଶପ୍ରୀତ ବୁମରାହ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ । ଷ୍ଟାଣ୍ଡବାଇ ଖେଳାଳି: ମହମ୍ମଦ ସାମି, ଶ୍ରେୟାସ ଆୟର, ରବି ବିଷ୍ଣୋଇ, ଦୀପକ ଚହର ।
