ଭିନ୍ନକ୍ଷମ ଯୁବକଙ୍କ ଅଭିନବ ପ୍ରୟାସ; ପରିବେଶ ସ୍ୱଚ୍ଛତାକୁ ନେଇ ସଫେଇ କାର୍ଯ୍ୟକ୍ରମ
ନୀଳଗିରି : ନୀଳଗିରି ର ଭିନ୍ନକ୍ଷମ ଯୁବକ ରାଜେନ୍ଦ୍ର ଜେନା ଦୁର୍ଘଟଣାରେ ଗୋଟାଏ ଗୋଡ଼ ହରାଇବା ପରେ ପରିବେଶ ଓ ସ୍ୱଚ୍ଛତା ଉପରେ ନିଜର ଜୀବନକୁ ଉତ୍ସର୍ଗ କରିଚାଲିଛନ୍ତି । ନୀଳଗିରି ସହରରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏବେ ପରିବେଶ ସ୍ୱଚ୍ଛତା ଉପରେ ବେଶ ଗୁରୁତ୍ୱ ଦେଉଛନ୍ତି । ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ନୀଳଗିରି କେ.ସି.ହାଇସ୍କୁଲ ପରିସରରେ ସ୍ୱଚ୍ଛତା ଉପରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଆଲୋଚନା ଚକ୍ର ଆୟୋଜନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଉପସ୍ଥିତ ରହି ସୁସ୍ଥ ସମାଜ, ସୁସ୍ଥ ସ୍ୱାସ୍ଥ୍ୟ ପାଇର୍ ପରିବେଶର ସ୍ୱଚ୍ଛତା ଆବଶ୍ୟକ ବୋଲି ବିଧାୟକ ଶ୍ରୀଯୁକ୍ତ ନାୟକ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ହାଇସ୍କୁଲ ପ୍ରଧାନ ଶିକ୍ଷକ ଭୀମସେନ ବିଶ୍ୱାଳ ମଂଚାସୀନ ରହି ସ୍ୱଚ୍ଛତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ଶ୍ରୀ ଜେନାଙ୍କର ଏତାଦୃଶ କାର୍ଯ୍ୟକ୍ରମକୁ ସାଧାରଣାରେ ପ୍ରଶଂସା କରାଯାଉଛି ।
