ବ୍ରହ୍ମାଙ୍କୁ ବାଟ ଦେଖାଇଥିଲେ ମା ବାଟମଙ୍ଗଳା
ପୁରୀ : ଶ୍ରୀକ୍ଷେତ୍ରର ପ୍ରବେଶ ପଥରେ ଅବସ୍ଥିତ ମା ବାଟମଙ୍ଗଳା ମନ୍ଦିର । ମା ପରମ ବୈଷ୍ଣବୀ । ମାଙ୍କ ମହିମା ଅପାର । କିମ୍ବଦନ୍ତୀ ଅଛି ବ୍ରହ୍ମା ସୃଷ୍ଟି ସର୍ଜନା କରିବା ପାଇଁ ଭଗବାନ ବିଷ୍ଣୁଙ୍କୁ ନାଭି କମଳରୁ ପ୍ରକଟ କରାଇଥିଲେ । ପ୍ରକଟ ସମୟରେ ମହାଶୂନ୍ୟକୁ ଦେଖି ବ୍ରହ୍ମା ବାଉଳା ହୋଇଯାଇଥିଲେ । ଏହି ସମୟରେ ଯୋଗମୟା ମା ମଙ୍ଗଳା ଆର୍ବିଭୂତା ହୋଇ ବ୍ରହ୍ମାଙ୍କୁ ଏକ ସୂକ୍ଷ୍ମ ମାର୍ଗ ଦେଖାଇଥିଲେ । ଯାହାଦ୍ୱାର ବ୍ରହ୍ମା ବିଷ୍ଣୁଙ୍କ ନାଭିମଣ୍ଡଳ ଦର୍ଶନ କରି ଧନ୍ୟ ମନେ କରିଥିଲେ । ବ୍ରହ୍ମାଙ୍କୁ ବାଟ ଦେଖାଇଥିବାରୁ ମାଙ୍କ ନାମ ବାଟ ମଙ୍ଗଳା ହୋଇଛି । ମାଙ୍କ ବିଗ୍ରହଟି ଦୁଇ ଫୁଟର ମଣି ବିଗ୍ରହ । ମା ଚର୍ତୁଭୂଜା । ମା ପଦ୍ମାସନ ମୁଦ୍ରାରେ ବିରାଜମାନ କରିଛନ୍ତି । ମାଙ୍କର ଶାରଦୀୟ ଦୁର୍ଗାପୂଜା, ଚୈତ୍ର ପୂର୍ଣ୍ଣିମା ,ଚୈତ୍ର ମଙ୍ଗଳବାର ମୁଖ୍ୟ ଉତ୍ସବ । ଭକ୍ତ ଶ୍ରୀକ୍ଷେତ୍ରକୁ ଆସିବା ଓ ଯିବା ସମୟରେ ମା ହିଁ ସାକ୍ଷୀ । ଏଥିପାଇଁ ଭକ୍ତ ଆସିବା ଓ ଯିବା ସମୟରେ ମୁଣ୍ଡିଆ ମାରିବା ସହ ମାଙ୍କ ସିନ୍ଦୁର ମୁଣ୍ଡରେ ଲଗାଇଥାନ୍ତି । ମାଙ୍କ ନାମ ଅନୁସାରେ ସେହି ଅଞ୍ଛଳର ନାମ ବାଟମଙ୍ଗଳା ରଖାଯାଇଛି । ନବକଳେବର ସମୟରେ ଦାରୁ ବୋଝେଇ ଶଗଡ଼ିକୁ ମାଙ୍କ ମନ୍ଦିର ସମ୍ମୁଖରେ ରଖାଯାଇ ପୂଜାର୍ଚ୍ଚନା କରାଯିବା ବିଧି ରହିଛି । ଆଶ୍ୱିନ ମାସ ମୂଳାଷ୍ଟମୀ ଦ୍ୱିତୀୟା ଓଷାଠାରୁ ଷୋଳଦିନ ଧରି ମାଙ୍କ ବେଶ ପୂଜା ଅନୁଷ୍ଠିତ ହେଉଛି । ମାଙ୍କ ମନ୍ଦିର ଭୋର ୪ଟାରୁ ଫିଟାଯାଇ ମଙ୍ଗଳଆଳତି,ଅବକାଶ,ମାଜଣା,ମଇଲମ ଓ ବଲ୍ଲଭ ଧୂପ ଅନୁଷ୍ଠିତ ହେଉଅଛି । ବାଳଭୋଗରେ ମାଙ୍କୁ ଖଇକୋରା, ଚୁଡ଼ାଭଜା, ଧୁଆମୁଗ,ସେଉ,କଦଳୀ,କାକୁଡ଼ି, କମଳା ଓ ନଡ଼ିଆ ଭୋଗ ଲାଗି ହୋଇଥାଏ । ମଧ୍ୟାହ୍ନ ଧୂପରେ ମାଙ୍କୁ ସାଧାଅନ୍ନ, ଘିଅଅନ୍ନ,ଖେଚୁଡ଼ି,ଡ଼ାଲି,ଡ଼ାଲମା,ଶାଗ,ଖଟା,ଏଣ୍ଡୁରି ପିଠା ଓ ଖିରୀ ଭୋଗ ଅର୍ପଣ କରାଯାଏ । ମାଙ୍କ ମନ୍ଦିରରେ ଚଣ୍ଡୀପାଠ କରାଯାଉଛି । ମା ଭକ୍ତର ମନସ୍କାମନା ପୂରଣ କରୁଥିବାରୁ ଅନେକ ଭକ୍ତ ମାଙ୍କ ନିକଟରେ ମାନସିକ ପୂରଣ ଭୋଗ ସହ ଘଂଟି ଲାଗି କରିଥାନ୍ତି । ମାଙ୍କ ନିକଟରେ ଆମିଷ ଭୋଗ ହୁଏନାହିଁ । ମାଙ୍କ ପ୍ରିୟ ଶ୍ରୀମନ୍ଦିର ଲଡ଼ୁ,ମାହାର୍ଦ୍ଦ ଓ ସରପୁରୀ । ମାଙ୍କ ନିକଟରେ ଭୁବନେଶ୍ୱରୀ ଓ ଭଗବତୀ ଚଳନ୍ତି ପ୍ରତିମାଙ୍କୁ ମନ୍ଦିର ସମ୍ମୁଖରେ ପାଲିଙ୍କିରେ ରଖି ଆଳତି କରାଯିବା ପରମ୍ପରା ରହିଛି । ମାଙ୍କ ନବରାତ୍ର ପୂଜା କରାଯାଏ । ରାତିରେ ମାଙ୍କୁ ବଡ଼ସିଂହାର ବେଶ କରାଯିବା ପରେ ପହୁଡ଼ କରାଯାଏ । ମୁଖ୍ୟ ପୂଜକ ଭାବେ ଭାସ୍କର ଚନ୍ଦ୍ର ପଣ୍ଡା ଥିବାବେଳେ ରାଜ କିଶୋର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା,ଦିବାକର ପଣ୍ଡା ଓ ଦିଲ୍ଲିପ ପଣ୍ଡା ମାଙ୍କ ସମସ୍ତ ନୀତିକାର୍ଯ୍ୟ ସମ୍ପାଦକ କରୁଛନ୍ତି । ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ମାଙ୍କୁ ବିଭିନ୍ନ ଦୁର୍ଲ୍ଲଭ ବେଶ କରାଯାଏ । ଏହି ନବଦିନ ମାଙ୍କ ବେଶ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ । ମା ବାଟମଙ୍ଗଳାଙ୍କୁ ଦର୍ଶନ କରିବାରେ ଶଦ୍ଧାଳୁଙ୍କ ଯାତୟାତ ବେଳେ ଥିବା ବିପଦ ଟଳିଯାଏ ବୋଲି ବିଶ୍ୱାସ ରହିଛି । ଯାତ୍ରୀବାହୀ ବସ ଓ ପର୍ଯ୍ୟଟକ ଗାଡ଼ି ମାଙ୍କ ମନ୍ଦିର ନିକଟରେ ରହି ମା’ଙ୍କୁ ଦର୍ଶନ କରିବା ସହ ଦୀପ ବସାଇଥାନ୍ତି ।
