ଭାରତୀୟ ପ୍ରଶାସନିକ ସେବା କ୍ୟାଡ଼ର ଶିକ୍ଷାନବିଶ ଅଧିକାରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ : ଜିଲ୍ଲା ପ୍ରଶାସନ ସହିତ ସ୍ଵତନ୍ତ୍ର ବୈଠକ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ କ୍ଷେତ୍ରସ୍ତରୀୟ ଗ୍ରାମାଂଚଳ ପରିଦର୍ଶନ ସହ କ୍ଷେତ୍ର ଅଧ୍ୟୟନ ଓ ଗବେଷଣା କାର୍ଯ୍ୟକ୍ରମ
ବାରିପଦା : ରିଖଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ୍ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍, ମୁସୁରୀର ୭ ଜଣିଆ ଭାରତୀୟ ପ୍ରଶାସନିକ ସେବା କ୍ୟାଡ଼ର ଅଧିକାରୀ (ଶିକ୍ଷାନବିଶ୍) ଚଳିତ ମାସ ୨୪ ତାରିଖ ସନ୍ଧ୍ୟାରେ ବାରିପଦା ଠାରେ ପହଁଚି ପ୍ରଦକ୍ଷଣ ଗୃହରେ ବିଶ୍ରାମ ନେଇଥିଲେ। ୯୭ ତମ ଫାଉଣ୍ଡେସନ୍ ପାଠ୍ୟକ୍ରମ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର କ୍ଷେତ୍ର ଅଧ୍ୟୟନ ଏବଂ ଅନୁସନ୍ଧାନ ପାଇଁ ଆସିଛନ୍ତି ଏହି ୭ଜଣିଆ ପ୍ରଶାସନିକ ଶିକ୍ଷାନବିଶ ଅଧିକାରୀ ଦଳ । ଉକ୍ତ ଦଳରେ ଆଇଏଏସ, ଆଇଆରଏସ, ଆଇଏଫଏସ, ଆଇପିଏସ ଆଦି ପ୍ରଶାସନିକ ସେବାର ଶିକ୍ଷାନବିଶ ଅଧିକାରୀ ମାନେ ହେଲେ ମେହକ ଜୈନ, ଅନୁସ୍ଥା କଳିଆ, ଅପୂର୍ବ ଦୀକ୍ଷିତ, ଅଥିରା ଏସ କୁମାର, ଜି ଭେଙ୍କଟେଶ, ଉମା ଶଙ୍କର ପ୍ରସାଦ, ବିମଲ କୁମାର ପାଠକ ପ୍ରମୁଖ ରହିଛନ୍ତି । ଉକ୍ତ ପ୍ରଶାସନିକ ସେବା କ୍ୟାଡର ଶିକ୍ଷାନବିଶ ଅଧିକାରୀମାନଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତା ୨୫-୦୯-୨୦୨୨ ରିଖ ରବିବାର ପୂର୍ବାହ୍ନରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଭାପ୍ରସେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହିତ ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଗ୍ରାମ୍ୟ ନିର୍ମାଣ, ଜଳ ସେଚନ, ସମନ୍ୱିତ ଆଦିବାସୀ ଉନ୍ନୟନ, ସାମାଜିକ ସୁରକ୍ଷା, ସାଧାରଣ ଯୋଗାଣ, ମତ୍ସ୍ୟ, ପ୍ରାଣୀ ସମ୍ପଦ, ଜିଲ୍ଲା ଆରକ୍ଷୀ ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା, ଓଡିଶା ଜୀବିକା ମିଶନ ଏବଂ ସମାଜ କଲ୍ୟାଣ ଆଦି ବିଭିନ୍ନ ବିଭାଗ ଦ୍ଵାରା ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ କାର୍ୟ୍ୟକାରୀ କରାଯାଉଥିବା ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଜନକଲ୍ୟାଣକାରୀ ଯୋଜନା କାର୍ୟ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ଆଲୋଚନାରେ ସମ୍ପୃକ୍ତ ବିଭାଗ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଜନା କାର୍ୟ୍ୟକ୍ରମର ରୂପାୟନ ସମ୍ପର୍କରେ ସୂଚାଇ ଥିଲେ । ତତପରେ ଉକ୍ତ ଭାରତୀୟ ପ୍ରଶାସନିକ ଶିକ୍ଷାନବିଶ ଅଧିକାରୀମାନେ ବାରିପଦା ସ୍ଥିତ ଗୋପବନ୍ଧୁ ବାଳାଶ୍ରମ ଓ ୱାନ ଷ୍ଟପ ସେଣ୍ଟର ପରିଦର୍ଶନ କରି କାର୍ୟ୍ୟସୂଚୀ ଅନୁସାରେ ଅପରାହ୍ନରେ ବେତନଟୀ ବ୍ଲକର ସଠିଲୋ ଗ୍ରାମ ଅଭିମୁଖେ ଗସ୍ତ କରିଥିଲେ । ତେବେ ଶିକ୍ଷାନବିଶ ଅଧିକାରୀମାନେ ସଠିଲୋ ଗ୍ରାମରେ ଅବସ୍ଥାପନ କରି ଚଳିତ ମାସ ୨୬ ତାରିଖ ଠାରୁ ୩୦ ତାରିଖ ପର୍ୟ୍ୟନ୍ତ ରହଣି ସମୟରେ ଦୈନନ୍ଦିନ ଗସ୍ତ କାର୍ଯ୍ୟକ୍ରମ ଅନୁଯାୟୀ କ୍ଷେତ୍ର ସ୍ତରୀୟ ପରିଦର୍ଶନରେ ଗ୍ରାମାଂଚଳର ସାମାଜିକ, ଅର୍ଥନୈତିକ ଜୀବନ ଜୀବିକା ନିର୍ବାହ ତଥା ବିଭିନ୍ନ ବିଭାଗ ଯୋଜନା କାର୍ଯ୍ୟକ୍ରମର ରୂପାୟନ ସମ୍ପର୍କିତ ଅନୁଧ୍ୟାନ କରିବା ସହ ସମ୍ପୃକ୍ତ ବିଭାଗ କ୍ଷେତ୍ର ଅଧିକାରୀମାନଙ୍କ ସହଯୋଗରେ ତୃଣମୂଳ ସ୍ତରରେ ଲୋକଙ୍କ ପ୍ରତ୍ୟକ୍ଷ ସାକ୍ଷାତ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି।
