ଅବକାରୀ ବିଭାଗର ଚଢଉ କ୍ୱିଣ୍ଟାଲ ଓଜନର ରୁପା ଇଟା ଓ ନଗଦ ୧୨ ଲକ୍ଷ ଟଙ୍କା ଜବତ, ୨ ଗିରଫ
କଟକ : ରାଜ୍ୟ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଗତକାଲି ରାତିରେ ଟାଙ୍ଗି ଟୋଲଗେଟ୍ଠାରେ ଜଗିରହି ଗଞ୍ଜାମ ଜିଲ୍ଲା ଆସ୍କାରୁ ପଶ୍ଚିମବଙ୍ଗ ଖଡଗପୁରକୁ ଚୋରା ଚାଲାଣ କରାଯାଉଥିବା ଏକ ଏସୟୁଭି କାରରୁ ୧୦୦ କେଜି ଓଜନର ରୁପା ଇଟା ଓ ନଗଦ ୧୨ ଲକ୍ଷ ଟଙ୍କା ଜବତ କରିଛନ୍ତି । ଏଥିସହିତ ଉକ୍ତ କାରଟିକୁ ମଧ୍ୟ ଜବତ କରାଯାଇଛି । ଏହି ଚୋରା କାରବାରରେ ସଂପୃକ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ କୋଲକତାର ଦିଲ୍ଲିପ ମଣ୍ଡଲ ଓ ଅତୁଲ୍ୟ ପାଲ । ଅବକାରୀ ଉପ ଆୟୁକ୍ତ ରଜତ ପ୍ରହରାଜଙ୍କ ସୂଚନା ମୁତାବକ, ଗଞ୍ଜାମରୁ କୋଲକତାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏକ ଗୁପ୍ତ ସୂତ୍ରକୁ ଆଧାର କରି ଗତକାଲି ରାତିରେ ଅବକାରୀ କର୍ମଚାରୀମାନେ ଟାଙ୍ଗି ଟୋଲ ଗେଟ୍ ପାଖରେ ଜଗି ରହିଥିଲେ । ଗାଡିଟି ଟୋଲ ଗେଟ ନିକଟରେ ପହଂଚିବା ପରେ ବିଭାଗୀୟ କର୍ମଚାରୀମାନେ ତାକୁ ଅଟକାଇ ତଲାସୀ ନେବାରୁ ଗାଡିର ପଛ ପଟ ଏକ ଚାମ୍ବରରୁ ୧୦୦କେଜି ଓଜନର ରୁପା ଇଟା ଓ ନଗଦ ୧୨ ଲକ୍ଷ ଟଙ୍କା ମିଳିଥିଲା । ୧୨ ଲକ୍ଷ ଟଙ୍କା ଓ ଏତେ ଗୁଡିଏ ରୁପା ଇଟା ମିଳିବା ପରେ ଅବକାରୀ ବିଭାଗର କାର୍ଯ୍ୟାଳୟକୁ ଜିଏସଟି ବିଭାଗର ଏକ ଟିମ ଆସି ତଦନ୍ତ ଆରମ୍ଭ କରିଥିବା ଉପ ଆୟୁକ୍ତ ଶ୍ରୀ ପ୍ରହରାଜ ସୂଚନା ଦେଇଛନ୍ତି ।
