ଭୋଟର ସଚେତନତା ରଥକୁ ନୀଳଗିରିରେ ସ୍ୱାଗତ
ନୀଳଗିରି : ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ କରିବା ନିତାନ୍ତ ଜରୁରୀ ଏବଂ ଯେଉଁ ଯୁବବର୍ଗ ୧୮ ବର୍ଷରୁ ଉର୍ଦ୍ଧ୍ୱ ସେମାନେ ଭୋଟର ପରିଚୟ ପତ୍ର ନିମନ୍ତେ ଆବେଦନ ଓ ସଂଶୋଧନ ବା ପରିବର୍ତ୍ତନ ଚାହୁଁଥିଲେ ନିଜ ବୁଥ୍ସ୍ତରୀୟ ଅଧିକାରୀଙ୍କ ଠାରେ ଆବେଦନ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ନାଗରିକଙ୍କୁ ସଚେତନ ନିମନ୍ତେ ସଚେତନତା ରଥ ମାଧ୍ୟମରେ ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ସମସ୍ତ ନାଗରିକ ପ୍ରଥମେ ଏହି ସଂଯୋଗୀକରଣର ଆବଶ୍ୟକତା ବିଷୟରେ ସଚେତନ ହେବା ଜରୁରୀ ।
ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ ବାଲେଶ୍ୱର ଜିଲାର ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶ କ୍ରମେ ଏକ ଭୋଟର ସଚେତନତା ରଥ ନୀଳଗିରି ପଞ୍ଚାୟତ ସମିତିରେ ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ପହଞ୍ଚିଥିଲା । ଏହି ରଥକୁ ସ୍ୱାଗତ କରିବା ନିମନ୍ତେ ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ଓ ବିଡିଓ ରାହୁଲ ମଣ୍ଡଳ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ନୀଳଗିରି ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀ ତଥା ଉପ-ଜିଲାପାଳ ଦୀପ୍ତିରଞ୍ଜନ ସେଠୀ, ବିଡ଼ିଓ ରାହୁଲ ମଣ୍ଡଳ, ସହକାରୀ ଜିଲାପାଳ ସିଦ୍ଧାର୍ଥ ଗୌରବ ପରିଡ଼ା, ଜିପିଓ ମିନତି ସିଂ ନୀଳଗିରି ବ୍ଲକ ପାଇଁ ଭୋଟରମାନଙ୍କ ଆଧାର ସଂଯୋଗୀ କରଣର ନିୟୋଜିତ ବୁଥସ୍ତରୀୟ କାର୍ଯ୍ୟକ୍ରମ ଓ ସୁପର ଭାଇଜରଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସେହିପରି ଏହି ସଚେତନତା ରଥ ଗୁରୁବାର ଔପଦା ବ୍ଲକ ପରିକ୍ରମା କରିବ ବୋଲି ଜଣାପଡ଼ିଛି ।
