ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ-୨୦୨୨: ଦ୍ୱିତୀୟ ସନ୍ଧ୍ୟାରେ ୩ ନାଟକ ମଞ୍ଚସ୍ଥ
ବାଲେଶ୍ୱର : ବାଲେଶ୍ୱର ସହର ଟାଉନହଲ୍ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଏବଂ ସାଂସ୍କୃତିକ ଅନୁଷ୍ଠାନ ‘କଳାକାର’ର ମିଳିତ ସହଯୋଗରେ ୨୩ତମ ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ ଉଦ୍ଘାଟିତ ହୋଇଛି । ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉତ୍ସବକୁ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଯୋଗଦେଇ ଥିବାବେଳେ ‘ଯୁଗଶ୍ରୀ ଯୁଗନାରୀ’ ପତ୍ରିକାର ସମ୍ପାଦିକା ମମତା ମହାପାତ୍ର, ସମାଜସେବୀ ଲକ୍ଷ୍ମୀନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଶିଶୁ ନାଟକ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ସଭାପତି ଡା. ଅମିତାଭ ଗିରି ପୌରହିତ୍ୟ କରିଥିବା ବେଳେ ମଙ୍ଗଳବାର ପ୍ରଥମ ସନ୍ଧ୍ୟାରେ ରାଣୀପାଟଣା ସ୍ଥିତ ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ନାଟକ ‘ଆଲୁଅ ଗଦାରୁ ଅ ଆ’ ପରିବେଷଣ କରିଥିଲେ ।
ସେହିପରି ବୁଧବାର ଦ୍ୱିତୀୟ ସନ୍ଧ୍ୟାର ସଭା କାର୍ଯ୍ୟକୁ ଅନୁଷ୍ଠାନର ଉପଦେଷ୍ଟା ପୂର୍ବତନ ବିଧାୟକ ପ୍ରଦୀପ୍ତ କୁମାର ପଣ୍ଡା ପୌରହିତ୍ୟ କରିଥିଲେ । ଅତିଥି ଭାବେ ପୌରାଧ୍ୟକ୍ଷା ସବିତା ସାହୁ, ସମାଜସେବୀ ଅଞ୍ଜଳି ପଣ୍ଡା, ଡା. ମଧୁବାଳା ଗିରି ଯୋଗଦେଇ ଶିଶୁ କଳାକାରଙ୍କୁ ଉତ୍ସାହିତ କରିଥିଲେ । ସଭା କାର୍ଯ୍ୟ ପରେ ୩ଟି ନାଟକ ମଞ୍ଚସ୍ଥ ହୋଇଥିଲା । ପ୍ରଥମେ ତୋଟାପଡ଼ା ମହାବୀର ଆବାସିକ ଉଚ୍ଚବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ‘ମୁ ଚର୍ଚ୍ଚିତା କହୁଛି’ ନାଟକ ପରିବେଷଣ କରାଯାଇଥିଲା । ଦ୍ୱିତୀୟ ନାଟକରେ ପଣପଣା କହ୍ନେଇକର ସରକାରୀ ଉଚ୍ଚବିଦ୍ୟାଳୟ ପକ୍ଷରୁ ‘ଜେଜେମା’ର ଗପମୁଣି’ ନାଟକ ମଞ୍ଚସ୍ଥ କରାଯାଇଥିଲା । ଶେଷରେ ନିଧିପଣ୍ଡା ଶ୍ରୀରଘୁନାଥ ପବ୍ଲିକ ସ୍କୁଲ ଛାତ୍ରୀଛାତ୍ରଙ୍କ ଦ୍ୱାରା ‘ପବିତ୍ର ପାପୀ’ ନାଟକ ମଞ୍ଚସ୍ଥ ହୋଇଥିଲା । ଏହି ଶିଶୁ ନାଟକ ଉତ୍ସବ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବାର ଅନୁଷ୍ଠାନ କାର୍ଯ୍ୟକାରୀ ସଭାପତି ସୁରଞ୍ଜନ ଦାସମହାପାତ୍ର ଓ ସମ୍ପାଦକ ସୌମ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।
