ପୁଣି ଲଛମନଖୁଣ୍ଟାରେ ହାତୀର ଉପଦ୍ରବ, ଭାଙ୍ଗିଲା ଘର
ବାଲେଶ୍ୱର : ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା ଅଞ୍ଚଳରେ ବାରମ୍ବାର ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁଁ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ିଛନ୍ତି । ବୁଧବାର ରାତିରେ ଏହି ହାତୀଟି ଲଛମନଖୁଣ୍ଟାର ଜାରାସାହିକୁ ଯାଇ ବୈକୁଣ୍ଠ ସିଂଙ୍କ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି । ଘରର ଆସବାବପତ୍ର ଓ ଧାନ ଚାଉଳସବୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ହାତୀଟି ୧୦ରୁ ଉର୍ଦ୍ଧ୍ୱ ଘର ଓ ଘରର କାନ୍ଥ ଭାଙ୍ଗିଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବନବିଭାଗ ପକ୍ଷରୁ ହାତୀଟିକୁ ଗାଁରୁ ଘଉଡ଼ାଇବାକୁ ବିଫଳ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ହାତୀଟି ବାଲେଶ୍ୱର ଓ ମୟୁରଭଞ୍ଜ ସୀମାରେ ରାତିରେ ଜଙ୍ଗଲରେ ରହୁଥୁବା ଜଣାପଡ଼ିଛି । ଅଧିକାଂଶ ଦିନ ହାତୀଟି ମୟୁରଭଞ୍ଜ ପଟୁ ଏହି ଗାଁ କୁ ପଶି ବ୍ୟାପକ କ୍ଷୟ କ୍ଷତି କରୁଥିବାରୁ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ହୋଇଛି । ରାତିରେ ବନବିଭାଗକୁ ଗାଁ ଲୋକେ ଖବର ଦେଲେ ବିଭାଗୀୟ ଅଧିକାରୀ ହାତୀ ଘଉଡ଼ାଇବାକୁ ଅନିଚ୍ଛା ପ୍ରକାଶ କରୁଥିବା ଅଭିଯୋଗ ହୋଇଛି । ୭ ମାସ ଧରି ବାରମ୍ବାର ରୂପସା ଅଞ୍ଚଳକୁ ହାତୀ ପଶି ଆସୁଥିବାରୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ବନବିଭାଗ ଓ ପ୍ରଶାସନ ପକ୍ଷରୁ ଏଯାବତ୍ ଭାଙ୍ଗିଥିବା ଘରର ତଦନ୍ତ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ବାରମ୍ବାର ହାତୀ ଉପଦ୍ରବ ଯୋଗୁଁ ମୟୁରଭଞ୍ଜ ଓ ବାଲେଶ୍ୱର ସୀମାନ୍ତବର୍ତ୍ତୀ ବସ୍ତା ବ୍ଲକର ଗଡ଼ପଦା, ପତ୍ରଝଡା, ନଟାକଟା ଆଦି ପଞ୍ଚାୟତର ଲଛମନଖୁଣ୍ଟା, ପଶ୍ଚିମ ସିମୁଳିଆ, ମହାଦେବସରାଇ, ମୁକୁନ୍ଦପୁର, ଚାଷୀପଡ଼ା, ହଦମୌଦ, ନରଣପୁର ପ୍ରଭୃତି ଗାଁର ଲୋକେ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି । ଏହାର ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି ।
