ମହଙ୍ଗା ସାବ୍ୟସ୍ତ ହେଲେ ଡେଥ ଓଭର ବିଶେଷଜ୍ଞ ହର୍ଷଲ ପଟେଲ୍
ନୂଆଦିଲ୍ଲୀ: ପୁଣି ଥରେ ଭାରତୀୟ ଦ୍ରୁତ ବୋଲରଙ୍କ ପୋଲ୍ ଖୋଲି ଯାଇଛି । ଏସିଆ କପରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ରେ ମ୍ୟାଚ୍ରେ ଡେଥ ଓଭରରେ ଭାରତୀୟ ବୋଲର ପୁଣି ଥରେ ବିଫଳ ହୋଇଛନ୍ତି । ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ୨୦୮ ରନର ବିଶାଳ ସ୍କୋର କରି ବି ଭାରତ ୪ ୱିକେଟ୍ରେ ପରାଜିତ ହୋଇଛି । ଅନ୍ୟପକ୍ଷେ ଭାରତୀୟ ଦଳ ପାଇଁ ନୂତନ ଡେଥ ଓଭର ବିଶେଷଜ୍ଞ ବୋଲର କୁହାଯାଉଥିବା ହର୍ଷଲ ପଟେଲ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ହର୍ଷଲ ପଟେଲ୍ ଆହତ ସମସ୍ୟାରୁ ମୁକୁଳିବା ପରେ ପ୍ରଥମ ଥର ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇଥିଲେ । ତେବେ ମ୍ୟାଚ୍ରେ ସେ ମହଙ୍ଗା ସାବ୍ୟସ୍ତ ହୋଇ ୪୯ ରନ ବ୍ୟୟ କରିଛନ୍ତି । ସେ ୧୬ତମ ଏବଂ ୧୮ତମ ଓଭର ବୋଲିଂ କରି ନିର୍ଧୁମ ଛେଚା ଖାଇଛନ୍ତି । କେବଳ ଏତିକି ନୁହେଁ ଯଶପ୍ରୀତ ବୁମରା ନିଜର ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ଯେତେ ଛକା ଖାଇଛନ୍ତି ସେତିକି ଛକା ହର୍ଷଲ ପଟେଲ୍ ଚଳିତ ବର୍ଷ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଖାଇ ସାରିଲେଣି । ଏଥିରୁ ସ୍ପଷ୍ଟ ଯେ, ଯଶପ୍ରୀତ ବୁମରାଙ୍କ ବିନା ଭାରତୀୟ ଦଳର ଡେଥ ଓଭର ଅଧୁରା ରହିଛି ।
ବୁମରା ଡେଥ ଓଭରର ୟର୍କର ସ୍ପେଶାଲିଷ୍ଟ । ସେ ଭାରତର ସବୁଠୁ ସଫଳ ଟି-୨୦ ଅନ୍ତର୍ଜାତୀୟ ବୋଲର । ଏମିତିରେ ହର୍ଷଲ ପଟେଲ୍ଙ୍କୁ ଡେଥ ଓଭରର ବିଶେଷଜ୍ଞ ବୋଲର କୁହାଯିବା ତରବରିଆ ହେବ । କାରଣ ସେ ଚଳିତ ବର୍ଷ ୨୮ ଛକା ଖାଇ ସାରିଛନ୍ତି । ବୁମରା ଏତିକି ଛକା ହିଁ ନିଜର ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ଖାଇଛନ୍ତି । ବୁମରା ୫୮ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ହର୍ଷଲ ପଟେଲ୍ ଚଳିତ ବର୍ଷ ମୋଟ୍ ୧୬ଟି ମ୍ୟାଚ୍ ଖେଳି ସାରିଲାଣି ।
