ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଏକ୍ସଟ୍ରାମୂରାଲ ଲେକଚର
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସାମାଜିକ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଏକ ଏକ୍ସଟ୍ରାମୂରାଲ ଲେକଚର ଅନୁଷ୍ଠିତ ହୋଇଯାଇଛି । “ଉନ୍ନତିର ତର୍ଜମା : ଏକ ପୂର୍ବ ଭାରତୀୟ ଆଲୋକପାତ” ଶୀର୍ଷକ ଏହି ଶୈକ୍ଷିକ ଭାଷଣରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ ପ୍ରଫେସର ଦୀପ୍ତି ରଞ୍ଜନ ସାହୁ ତାଙ୍କର ବକ୍ତବ୍ୟ ରଖିଥିଲେ । ଛାତ୍ର-ଛାତ୍ରୀ ତଥା ବିଶ୍ୱବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉଦ୍ୟେଶ୍ୟରେ ରଖିଥିବା ତାଙ୍କର ଏହି ବକ୍ତବ୍ୟରେ, ପ୍ରଫେସର ସାହୁ ସମସ୍ତଙ୍କୁ ସେମାନଙ୍କ ପାରିପାର୍ଶ୍ୱିକ ଅବସ୍ଥା ଯେପରିକି ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ପରିସ୍ଥିତି ବିଷୟରେ ସଚେତନ ହେବା ପାଇଁ ଆହ୍ୱାନ ଜଣାଇଥିଲେ । ସାମାଜିକ ପରିବର୍ତ୍ତନ ଓ ଦେଶର ଉନ୍ନତି ସକାଶେ ଲୋକମାନଙ୍କ ମଧ୍ୟରେ ଏକ ଆଲୋଚନାତ୍ମକ ଚିନ୍ତାଧାରାର ବିକାଶ ନିତ୍ୟାନ୍ତ ଆବଶ୍ୟକ ବୋଲି ସେ ମତ ପୋଷଣ କରିଥିଲେ ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏହି ଉପଲକ୍ଷେ ରଖିଥିବା ତାଙ୍କର ଅଭିଭାଷଣରେ ସମସ୍ତଙ୍କୁ ନିର୍ଭୟର ସହ ନିଜର ମତାମତ ପୋଷଣ କରିବା ତଥା ଉନ୍ନତି ମୂଳକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ସମାଜ ତଥା ଦେଶର ବିକାଶ ଓ ଗଠନରେ ଛାତ୍ରଛାତ୍ରୀ ଏବଂ ଏକ ସୁସ୍ଥ ନାଗରିକ ସମାଜର ଅବଦାନ ଅପରିହାର୍ଯ୍ୟ । ଏହାକୁ ସମସ୍ତେ ଉପଲବ୍ଧି କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ ।
ସ୍ନାତକତ୍ତୋର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଏହିପରି ଏକ କାର୍ଯ୍ୟକ୍ରମର ଅୟୋଜନ କରିଥିବା ହେତୁ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ସମାଜ ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ପବିତ୍ର ମୋହନ ନାୟକ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସମାଜ ବିଜ୍ଞାନ ବିଭାଗର ମୁଖ୍ୟ ଡ. ସୁନୀଲ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ଓ ଉକ୍ତ ବିଭାଗର ସହକାରୀ ପ୍ରାଧ୍ୟାପିକା ସମୃତ୍ତି ଶିକ୍ତ ଥାପ୍ପା ଏହାର ପରିଚାଳନା କରିଥିଲେ ।
