ପରଲୋକରେ କମେଡିଆନ ରାଜୁ ଶ୍ରୀବାସ୍ତବ
ନୂଆଦିଲ୍ଲୀ: ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବଙ୍କ ଆଜି ୫୮ ବର୍ଷ ବୟସରେ ପରଲୋକ ହୋଇଛି। ମୃତ୍ୟୁ ସହିତ ଦୀର୍ଘ ୪୦ ଦିନ ଧରି ସଂଘର୍ଷ କରିବା ପରେ ବୁଧବାର ସକାଳେ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ତାଙ୍କ ମୃତ୍ୟୁ ହୋଇଯାଇଛି। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ମୃତ୍ୟୁ ପର୍ଯ୍ୟନ୍ତ ସେ ଭେଣ୍ଟିଲେଟରରେ ରହିଥିଲେ। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା ଜାରି ରଖିଥିଲେ। ଗତ ଅଗଷ୍ଟ ୧୦ରେ ଜିମରେ ବ୍ୟାୟାମ କରୁଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ଏହା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଦୀର୍ଘ ୪୦ ଦିନ ଧରି ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ସୁଧୁରି ନଥିବା ବେଳେ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା। ଏହି ସମୟରେ ତାଙ୍କ ପରିବାର ଏବଂ ସହକର୍ମୀଙ୍କ ଠାରୁ କ୍ରମାଗତ ସୂଚନା ଦିଆଯାଉଥିଲା। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ମଧ୍ୟ ଉନ୍ନତି ଆସିଥିବା ପରିଲକ୍ଷିତ ହୋଇଥିଲା। କିନ୍ତୁ ଆଜି ସେ ସମସ୍ତଙ୍କୁ କନ୍ଦାଇ ପରଲୋକ ଗମନ କରିଛନ୍ତି।
ରାଜୁ ଦିଲ୍ଲୀର ଏକ ହୋଟେଲରେ ରହିଥିଲେ। ସେ ସେହି ହୋଟେଲର ଏକ ଜିମରେ ବ୍ୟାୟାମ କରୁଥିଲେ। ବ୍ୟାୟାମ କରିବା ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ବିଗିଡିବା କାରଣରୁ ସେ ଟ୍ରେଡ଼ମିଲରେ ପଡ଼ିଯାଇଥିଲେ। ଫଳରେ ତାଙ୍କୁ ତୁରନ୍ତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ହୃଦ୍ ବିଭାଗରେ ଚିକିତ୍ସିତ ହେଉଥିଲେ। ତାଙ୍କ ମସ୍ତିଷ୍କରେ ଆଘାତ ଲାଗିଥିବା ରାଜୁଙ୍କ ନିକଟତମ ବନ୍ଧୁମାନେ ସୂଚନା ଦେଇଥିଲେ। ତେବେ ବ୍ୟାୟାମଶାଳାରେ ପଡ଼ିଯିବା ପରେ ତାଙ୍କୁ ହୃଦଘାତ ହୋଇଥିଲା। ଏହି ଘଟଣା ପରେ ତାଙ୍କ ମସ୍ତିଷ୍କ ମୃତପ୍ରାୟ ହୋଇ ପଡ଼ିଥିଲା। ତାଙ୍କ ମସ୍ତିଷ୍କରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅମ୍ଳଜାନ ପହଞ୍ଚିନଥିଲା। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ସୂଚନା ଦେଇ କହିଥିଲେ କି ତାଙ୍କର ଚେତା ଫେରିବାରେ ବିଳମ୍ବ ହୋଇପାରେ ବୋଲି ସେ କହିଥିଲେ। ତେବେ ଚିକିତ୍ସା ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଥିବା ନେଇ ମଧ୍ୟ ଡାକ୍ତରୀ ଟିମ ସୂଚନା ଦେଇଥିଲେ।
ସୂଚନା ଯେ, ରାଜୁ ଶ୍ରୀବାସ୍ତବ ୧୯୮୦ ମସିହାରୁ ବଲିଉଡ୍ ସହ ଯୋଡ଼ି ହୋଇ ରହିଥିବା ବେଳେ ସେ ଦେଶର ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ଥିଲେ। ଫିଲ୍ମ ବାଜିଗର୍, ‘ମେନେ ପ୍ୟାର୍ କିୟା’ ଓ ତେଜାବ ପରି ଉଲ୍ଲେଖନୀୟ ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ରାଜୁ ଆମଦାନି ଆଠାନି ଖର୍ଚ୍ଚା ରୁପୈୟା, ମେଁ ପ୍ରେମ୍ କୀ ଦିୱାନୀ ହୁଁ ଓ ବମ୍ବେ ଟୁ ଗୋଆ ପ୍ରଭୃତି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଗ୍ରେଡ୍ ଇଣ୍ଡିଆନ୍ ଲାଫଟର ଚ୍ୟାଲେଞ୍ଜ, ବିଗ୍ ବସ୍, ଶକ୍ତିମାନ, କମେଡି ସର୍କସ୍, କପିଲ୍ ଶର୍ମା ସୋ ଭଳି ଶୋରେ ନିଜକୁ ସାମିଲ କରିପାରିଥିଲେ । ନିକଟରେ ତାଙ୍କୁ ଭାରତୀୟ ଲାଫଟର ଚାମ୍ପିୟନସିପରେ ଏକ ସ୍ୱତନ୍ତ୍ର ଅତିଥି ଭାବେ ଦେଖିବାକୁ ମିଳିଥିଲା।
ତେବେ ରାଜୁଙ୍କ ଜୀବନ ବେଶ ସଂଘର୍ଷମୟ ରହିଥିଲା। ଏକ ସାକ୍ଷାତକାରରେ ରାଜୁ କହିଥିଲେ ଯେତେବେଳେ ମୁଁ ମୁମ୍ବାଇ ଆସିଥିଲି, ଲୋକମାନେ ହାସ୍ୟ ଅଭିନେତାଙ୍କୁ ଠିକଭାବେ ବୁଝି ପାରିନଥିଲେ। ସେହି ସମୟରେ ଜୋକ୍ସ ଜନି ୱାକର୍ ଠାରୁ ଆରମ୍ଭ ହୋଇ ଜନି ୱାକରଙ୍କ ନିକଟରେ ଶେଷ ହେଉଥିଲା। ସେତେବେଳେ ଷ୍ଟାଣ୍ଡ ଅପ୍ କମେଡି ପାଇଁ କୌଣସି ସ୍ଥାନ ନଥିଲା, ତେଣୁ ମୁଁ ଚାହୁଁଥିବା ସ୍ଥାନ ସେତେବେଳେ ମିଳିଲା ନାହିଁ ବୋଲି ସେ କହିଥିଲେ।
