ଔପଦା ବ୍ଲକକୁ ପଞ୍ଚାୟତରାଜ ସଚିବଙ୍କ ଅଚାନକ ଗସ୍ତ
ଔପଦା : ଔପଦା ବ୍ଲକକୁ ପଞ୍ଚାୟତରାଜ ବିଭାଗ ସଚିବ ସୁନୀଲ କୁମାର ଲୋହାନିଙ୍କ ଅଚାନକ ଗସ୍ତ ପାଇଁ ବ୍ଲକ ପ୍ରଶାସନ ଠାରେ ତତ୍ପରତା ପ୍ରକାଶ ପାଇଥିଲା । ସଚିବ ଶ୍ରୀ ଲୋହାନିଙ୍କ ସହିତ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ, ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଦୁଇଟି ପଞ୍ଚାୟତକୁ ଗସ୍ତ କରି ଉନ୍ନୟନମୂଳକ କାମକୁ ତଦନ୍ତ କରିଥିଲେ ।
ପ୍ରଶାସନ ଅଧିକାରୀ ମାନେ ପ୍ରଥମେ ରାଇରାମଚନ୍ଦ୍ରପୁର ପଞ୍ଚାୟତରେ ପହଞ୍ôଚ ମନୋରେଗା ଯୋଜନାରେ ସାମିଲ କେତେକ ପ୍ରକଳ୍ପ ସହ ପ୍ଲାଣ୍ଟେସନ, କେନାଲ, ମାର୍କେଟ କମ୍ପେ୍ଲକ୍ସର କାମକୁ ତଦନ୍ତ କରିଥିଲେ । ସଚିବଙ୍କ ଗସ୍ତ ସମୟରେ ରାଇରାମଚନ୍ଦ୍ରପୁର ସରପଞ୍ଚ ମନସ୍ମିତା ପଣ୍ଡା ଉପସ୍ଥିତ ଥିବାବେଳେ କାମରେ ନିୟୋଜିତ ଶ୍ରମିକ ମାନଙ୍କୁ ସଚିବ ଶ୍ରୀ ଲୋହାନି ବିଭିନ୍ନ ସମ୍ପର୍କରେ ପଚାରି ବୁଝିଥିଲେ । ପରେ ସଚିବ ଗଡ଼ସାହି ପଞ୍ଚାୟତରେ ପହଞ୍ôଚ ଅମୃତସରୋବୋର ଯୋଜନାରେ ସାମିଲ ଲାଙ୍ଗୁଡ଼ାଶୁଣି ପୋଖରୀ ସହ ହୁଡ଼ାରେ ନିର୍ମିତ ପାର୍କକୁ ଅନୁଧ୍ୟାନ କରିଥିଲେ । ଶେଷରେ ସଚିବଙ୍କ ସହିତ ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଓ ଜିଲାପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର ସାହୁ ଔପଦା ବ୍ଲକରେ ପହଞ୍ଚିଥିଲେ । ଔପଦାରେ ମିଶନ ଶକ୍ତି ପକ୍ଷରୁ ନିର୍ମିତ ତତ୍କାଳୀନ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଶୁଭ ଉଦଘାଟନ ହୋଇଥିବା ଭୋଜନାଳୟ (କେଫେ)ରଙ୍ଗୋଲିରେ ସଜାଯାଇଥିବା ବେଳେ ପ୍ରଶାସନ ଅଧିକାରୀ ମାନେ ମଧ୍ୟ ବୁଲି ଦେଖିଥିଲେ । ସଚିବଙ୍କ ଗସ୍ତ ସମୟରେ ଭାରପ୍ରାପ୍ତ ବିଡିଓ ଅଭିଷେକ ଦାଶ, ଏପିଡି ଜିତେନ୍ଦ୍ର କୁମାର ବିଶ୍ୱାଳ, ଏଏମସି ସୌମ୍ୟା ପ୍ରଧାନ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ପପୁ ଭୂୟାଁ, ବ୍ଲକ ଏପିଓ ଜ୍ୟୋତିପ୍ରସନ୍ନ ପୃଷ୍ଟି, ଗଡ଼ସାହି ସରପଞ୍ଚ ନିତ୍ୟାନନ୍ଦ ମୁଦୁଲି, ବ୍ଲକ ଯନ୍ତ୍ରୀଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
