ପୌରପାଳିକାର ବିଭିନ୍ନ ସମସ୍ୟାକୁ ନେଇ ଜିଲାପାଳଙ୍କୁ ଭେଟିଲା ନଗର ବିଜେପିି
ବାଲେଶ୍ୱର : ବାଲେଶ୍ୱର ପୌର ପରିଷଦ କାର୍ଯ୍ୟାଳୟରେ ବିଭିନ୍ନ୍ନ ଅବ୍ୟବସ୍ଥା ଏବଂ ସ୍ଥାଣୁତା ସମ୍ପର୍କରେ ମଙ୍ଗଳବାର ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ବିଜେପି କାଉନସିଲର ଓ ନଗରର ବିଜେପିର ପ୍ରମୁଖ କାର୍ଯ୍ୟକର୍ତ୍ତା ଜିଲାପାଳଙ୍କୁ ଭେଟିଛନ୍ତି । ଏହି ଅବସରରେ ସମସ୍ତେ ଜିଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।
ବାଲେଶ୍ୱର ପୌର ପରିଷଦ ଏକ ପୂରୁଣା ତଥା ୧୪୬ ବର୍ଷର ହୋଇଥିଲେ ମଧ୍ୟ ବିଭିନ୍ନ ସମସ୍ୟା ବହୁଳ ମଧ୍ୟରେ ଗତି କରୁଛି । ବାଲେଶ୍ୱର ପୌର ପରିଷଦରେ ବିଗତ ଚାରି ବର୍ଷ ମଧ୍ୟରେ ଏକ ନିୟମିତ ଏବଂ ଅଭିଜ୍ଞ କାର୍ଯ୍ୟନିର୍ବାହୀ ଅଧିକାରୀ ନଥିବାରୁ ସହରାଞ୍ଚଳ ଅଧିବାସୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପୌର ପରିଷଦରେ ଲେବର ସଂଖ୍ୟାକୁ ବୃ୍ଦ୍ଧି କରି ନୂଆ ସାନିଟେସନ ଟେଣ୍ଡର ଆହ୍ୱାନ କରିବା ପାଇଁ ରିଜୋଲ୍ୟୁସନ ପାସ୍ କରିଥିବା ବେଳେ ଏହାକୁ ଅବଜ୍ଞା କରି ଏହାର ଠିକାଦାରର ସମୟସୀମା ବୃଦ୍ଧି କରିବା ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟଧାରାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସହରରେ ଲାଗିଥିବା ଷ୍ଟ୍ରିଟ ଲାଇଟର ଯୋଗାଣ ଏବଂ ରକ୍ଷଣାବେକ୍ଷଣ ଭୁବନେଶ୍ୱରର ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି । କିନ୍ତୁ ସେ ସଂସ୍ଥା ନା ଖରାପ ହୋଇଥିବା ଜାଗାରେ ନୂଆ ଲାଇଟ ଲଗାଉଛି ନା ରକ୍ଷଣାବେକ୍ଷଣ କରୁଛି, ଯାହାଫଳରେ ସହରର ବିଭିନ୍ନ ଗଳିକନ୍ଦି ଅନ୍ଧାର ହୋଇରହୁଛି । କିନ୍ତୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତେଇ ଲକ୍ଷ ଲକ୍ଷ ଟଙ୍କାର ବିଲ ନେଉଛନ୍ତି । ସେହିପରି ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ôଥକ ବର୍ଷରେ ପିଏଚ୍ଇଡି (ଜଳ ଯୋଗାଣ ସଂସ୍ଥା) ମ୍ୟୁନିସିପାଲଟି ଗ୍ରାଣ୍ଡରୁ ଅନ୍ୟୁନ ୧୦ କୋଟି ଟଙ୍କା ନେଇଥିବା ସ୍ଥଳେ ସହରର ପ୍ରତ୍ୟେକ ୱାର୍ଡ଼ରେ ଉତ୍କଟ ଜଳାଭାବ ସହିତ ଗୋଳିଆ ପାଣି ଜନ ଜୀବନକୁ ବିପର୍ଯ୍ୟସ୍ତ କରିବା ସଙ୍ଗେସଙ୍ଗେ ପିଏଚ୍ଇଡି ବିଭାଗର ଦାୟିତ୍ୱହୀନ ଏବଂ ଅପାରଗତାକୁ ପ୍ରମାଣ କରୁଛି । ତେଣୁ ଉକ୍ତ ସମସ୍ୟାର ତୁରନ୍ତ ସମାଧାନ ସହିତ ୩ ଦିନ ମଧ୍ୟରେ ଏକ ନିୟମିତ ଏବଂ ଅଭିଜ୍ଞ କାର୍ଯ୍ୟନିର୍ବାହୀ ଅଧିକାରୀ ଅବସ୍ଥାପନ ନକଲେ ବାଲେଶ୍ୱର ନଗର ବିଜେପି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ସୂଚନା ଦେଇଛନ୍ତି । ଦାବିପତ୍ର ପ୍ରଦାନ ବେଳେ କାଉନସିଲର ସତ୍ୟଶିବ ସୁନ୍ଦର ଦାଶ, ନିତ୍ୟଗୋପାଲ ସିଂ, ସସ୍ମିତା ନାଥ, ରୋଜାଲିନ ପାଣି, ସୁଚିସ୍ମିତା ପଣ୍ଡା, ଗୌରୀ ଦାଶ, ଭାରତୀ ପାତ୍ର, ନିରୁପମା ଦାଶ ଏବଂ ପ୍ରତିମା ବେହେରା, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ବରିଷ୍ଠ ନେତା ଗୌରାଙ୍ଗ ଦାସ, ଅନନ୍ତ ନାୟକ, ଜୟପ୍ରକାଶ ଦାଶ, ରାଜେନ୍ଦ୍ର ଚାଟାର୍ଜୀ, ଜୀବନ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।
