କଟକ ବଡ଼ ମେଡିକାଲ କର୍ମଚାରୀ ମଦ ପିଉଥିବା ଭିଡିଓ ଭାଇରାଲ୍, ଜଣେ ନିଲମ୍ବିତ
କଟକ : କଟକ ବଡ଼ ମେଡିକାଲ୍ ଭିତରେ କର୍ମଚାରୀ ମଦ ପିଉଥିବା ଅଭିଯୋଗ ହୋଇଛି। ଏସ୍ସିବି ମେଡିକାଲ ଟିକେଟ୍ କାଉଣ୍ଟର ଭିତରେ ବସି ମଦ ପିଇବାରେ ଜଣେ କର୍ମଚାରୀ ବ୍ୟସ୍ତ ଥିବା ନଜର ଆସିଛନ୍ତି। ଏହି ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।
ଟିକେଟ୍ କାଉଣ୍ଟର ଭିତରେ ବସି କର୍ମଚାରୀ ମଦ ପିଉଥିବା ଏହି ଭିଡିଓଟି କଟକ ବଡ ମେଡ଼ିକାଲର କାଜୁଆଲିଟିର ବୋଲି କୁହାଯାଉଛି। ତେବେ ଏହା କେବେକାର ଭିଡିଓ ତାହା ଜଣାପଡି ନାହିଁ। ପୂର୍ବରୁ ବହୁବାର ମେଡିକାଲ କାଜୁଆଲିଟିରେ କର୍ମଚାରୀମାନେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ମେଡିକାଲ କର୍ତ୍ତୃପକ୍ଷ ଏହାର ତଦନ୍ତ କରି ପଦକ୍ଷେପ ନେଇଥିଲେ।
ପୁଣି ଥରେ ଏଭଳି ଏକ ସାଘାଂତିକ ଭିଡିଓ ସାମ୍ନାକୁ ଆସିବା ପରେ ଏସ୍ସିବି ମେଡିକାଲ ପ୍ରାଶାସନିକ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି। ଭିଡିଓର ଯାଞ୍ଚ ପରେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲିଫ୍ଟ ଅପରେଟର ଠିକା କର୍ମଚାରୀ ସନ୍ତୋଷ ନାୟକଙ୍କୁ ନିଲମ୍ବିତ କରାଯିବା ସହ ଏସ୍ସିବି କ୍ୟାମ୍ପସ ମନା କରାଯାଇଛି। ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି ନା ନାହିଁ ସେ ନେଇ ତଦନ୍ତ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।
