ଜନସ୍ୱାସ୍ଥ୍ୟ ବିଭାଗର ଟେଣ୍ଡର ଦୁର୍ନୀତି ତଦନ୍ତରେ ଶୀଥିଳତା
କଟକ : ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗର କଟକସ୍ଥିତ ନୂଆବଜାର ଡିଭିଜନ ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ମୌଖିକ ଭାବେ ଠିକାଦାରଙ୍କୁ କାର୍ଯ୍ୟ ଦେବା, କାର୍ଯ୍ୟ ସଂପନ୍ନ ପରେ ଗୋପନୀୟ ଟେଣ୍ଡର କରାଇ ପିଛିଲା ତାରିଖ ପକାଇ କାର୍ଯ୍ୟାଦେଶ ଦେବା ଘଟଣାରେ ନିଲମ୍ବିତ ହୋଇଥିବା ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀଙ୍କ ଦୁର୍ନୀତିର ତଦନ୍ତରେ ଶୀଥିଳତା ପ୍ରକାଶ ପାଇଛି । ଖୋଦ୍ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଭାଗରେ ଘଟିଥିବା ଇଣ୍ଟରନାଲ ଅଡିଟ୍ ହେବା ସତ୍ୱେ ବର୍ତ୍ତମାନ ସୁଦ୍ଧା ସଂପୃକ୍ତ ବିଭାଗର ଅଧିକାରୀଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଅପରପକ୍ଷେ ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏହି ଡିଭିଜନରୁ ନିଳମ୍ବିତ କରାଯାଇ ଜଣେ ନୂଆ ଅଧିକାରୀଙ୍କୁ ଅଧିକ୍ଷଣ ଯନ୍ତ୍ରୀ ଭାବେ ନିଯୁକ୍ତି ଦେବା ପରେ ମଧ୍ୟ ପୂର୍ବରୁ ଡିଭିଜନରେ ଯେଉଁ ପ୍ରକାର ଅନିୟମିତତା କାର୍ଯ୍ୟ ଚାଲୁଥିଲା ତାହାକୁ ମଧ୍ୟ ବର୍ତ୍ତମାନର ଅଧିକ୍ଷଣ ଯନ୍ତ୍ରୀ ଆପଣାଇ ନେଇଛନ୍ତି । ନୂତନ ଅଧିକ୍ଷଣ ଯନ୍ତ୍ରୀ ଜଣକ ତାଙ୍କ ବିଭାଗରେ ରହିଥିବା ପୁରୁଣା କର୍ମଚାରୀଙ୍କ ଇଙ୍ଗିତରେ ସମସ୍ତ ପ୍ରକାର କାର୍ଯ୍ୟ କରୁଥିବାର କେତେକ ଅଭିଯୋଗରୁ ଜଣାଯାଇଛି । ଏ ସଂପର୍କରେ କେତେକ ଠିକାଦାର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଓ ୫-ଟି ସଚିବଙ୍କୁ ପୁଣି ଏକ ଅଭିଯୋଗ ପତ୍ର ପ୍ରଦାନ କରି ବିଗତ ୫ ବର୍ଷ ପୂର୍ବରୁ ଏହି ବିଭାଗରେ ଘଟିଥିବା ଟେଣ୍ଡର ଦୁର୍ନୀତି, ତଦନ୍ତର କାର୍ଯ୍ୟକାରିତା ଓ ବର୍ତ୍ତମାନ ଚାଲୁ ରହିଥିବା ଟେଣ୍ଡରଗୁଡିକର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦାବି କରିଛନ୍ତି ।
