ଶିଶୁ ସୁରକ୍ଷା ସେବା ପ୍ରଦାନକାରୀ ସମନ୍ନୟ ସଭା ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ବ୍ଲକ ସଭା ଗୃହରେ ସମନ୍ନୟ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ରେମୁଣା, ପିକକ୍, ୱାଲ୍ଡ ଭିଜନ ଓ ଏନ୍ଏସିଜି ଇଭାକର ମିଳିତ ଆୟୋଜନରେ ‘ଶିଶୁ ପାଇଁ ଦିନ ଟିଏ’ ଅବସରରେ ଶିଶୁ ସୁରକ୍ଷା ସେବା ପ୍ରଦାନକାରୀ ମାନଙ୍କର ଏକ ସମନ୍ନୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ରେମୁଣା ଶିଶୁ ବିକାଶ ଯୋଜନା ଅଧିକାରିଣୀ ସାଗରିକା ଦତ୍ତ ସଭାରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ରେମୁଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ ଯୋଗଦେଇ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା ସମିତି ଓ ଗ୍ରାମ୍ୟସ୍ତରୀୟ ଶିଶୁ ସୁରକ୍ଷା ସମିତି ଗୁଡ଼ିକ ଅଧିକ ସକ୍ରିୟ କରିବା ସହିତ ଶିଶୁ ମାନଙ୍କର ଅଧିକାର ଓ ସୁରକ୍ଷା ନେଇ ଉପୁଜୁଥିବା ସମସ୍ୟା ଗୁଡ଼ିକର ଚିହ୍ନଟ କରି ସେଗୁଡ଼ିକ ସମାଧାନ ପାଇଁ ଅନୁରୋଧ କରିଥିଲେ । ଅନ୍ୟତମ ଅତିଥି ଭାବେ ପୂର୍ବତନ ଶିଶୁ ମଙ୍ଗଳ କମିଟି ସଦସ୍ୟ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ଯୋଗଦେଇ ଶିଶୁ ମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହିତ ଏହାର ସଫଳ ରୂପାୟନ ପାଇଁ ସମସ୍ତ ଶିଶୁ ସୁରକ୍ଷା ସେବା ପ୍ରଦାନକାରୀ ବିଭାଗର ମିଳିତ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି ଅବସରରେ ଉପସ୍ଥିତ କିଶୋର କିଶୋରୀମାନଙ୍କ ମଧ୍ୟରେ ଶିଶୁ ସୁରକ୍ଷା ସମ୍ପର୍କରେ ତର୍କ ପ୍ରତିଯୋଗିତା ହୋଇଥିଲା । କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ସୁପରଭାଇଜର ମଧୁସ୍ମିତା ମହାନ୍ତି ଧନ୍ୟବାଦ୍ ଦେଇଥିଲେ ।
