ଷ୍ଟେଟ୍ ବ୍ୟାଙ୍କରେ ଡକାୟତି, ଲକର ଖୋଲି ନପାରି ଲୁଟିନେଲେ ୫ଟି କଏନ ବସ୍ତା
ବସ୍ତା : ବସ୍ତା ଥାନା ଅନ୍ତର୍ଗତ ମୁକୁଳିସି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଡକାୟତି ହୋଇଥିବା ସୋମବାର ବ୍ୟାଙ୍କ କତ୍ତୃପକ୍ଷ ଜାଣିବାକୁ ପାଇ ଥିଲେ । ମିଳିଥିବା ସୂଚନା ଅନୁସାରେ ମୁକୁଳିସି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଶନି ବାର ରାତିରେ ବ୍ୟାଙ୍କ କର୍ମଚାରୀ ଚାଲିଯିବା ପରେ ପଛ ଗେଟ ଭାଙ୍ଗି ଦୁର୍ବୁତ୍ତମାନେ ପଶିଥିବା ସିସିଟିଭି କ୍ୟାମେରାରୁ ଜାଣିବାକୁ ପାଇଥିଲେ ।
ଶନିବାର ଉକ୍ତ ଘଟଣା ଘଟିଥିଲେ ମଧ୍ୟ ରବିବାର ଛୁଟି ଯୋଗୁଁ ଏହା ଜଣାପଡିନଥିଲା ବୋଲି ବ୍ୟାଙ୍କ କର୍ତ୍ତୁପକ୍ଷ ସୂଚନା ଦେଇଥିଲେ । ସୋମବାର ବ୍ୟାଙ୍କ ଖୋଲିବା କ୍ଷଣି ଏହା ଜାଣିବାକୁ ପାଇଥିଲେ । ତୁରନ୍ତ ବସ୍ତା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିଲା । ପ୍ରାଥମିକ ଅନୁସନ୍ଧାନ ପରେ ବ୍ୟାଙ୍କର ପଛପଟ କବାଟ ଭାଙ୍ଗି ଦୁବୃତ୍ତମାନେ ପଶିଥିବା ବେଳେ ପ୍ରଥମେ ସିସିଟିଭି ତାରକୁ କାଟି ଦେଇଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ତେବେ ବ୍ୟାଙ୍କର ଲକର ଖୋଲି ନପାରିବା ଯୋଗୁଁ ପାଖରେ ଥିବା ୫ଟି କଏନ ବସ୍ତା ଯେଉଁଥିରେ ୫ ଟଙ୍କିଆ ଏବଂ ୧୦ ଟଙ୍କିଆ କଏନ ଥିବା ବେଳେ ଏହାର ମୂଲ୍ୟ ପାଖାପାଖି ୧ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂଚନା ଦେଇଛନ୍ତି । ବ୍ୟାଙ୍କର ଉଚ୍ଚକତ୍ତୃପକ୍ଷ ପକ୍ଷ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ସହଯୋଗ କରିଥିଲେ । ତେବେ ଅଧିକ ତଦନ୍ତ ହେଲେ ଚୋରି ଘଟଣା ସପର୍କରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ପୋଲିସ ପ୍ରକାଶ କରିଛି ।
