ସରକାରଙ୍କୁ ଧନ୍ୟବାଦ ଦେଲା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ
ଭୁବନେଶ୍ୱର : ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ କୁମାର କବି ଫାଉଣ୍ଡେସନ୍ର ଦୀର୍ଘ ବର୍ଷର ଦାବି ଥିଲା ଯେ, କବି ବ୍ରଜନାଥ ବଡ଼ଜେନା, କୁମାର କବି ଅରକ୍ଷିତ ପ୍ରଧାନ, ରାଜକବି ଗୋବିନ୍ଦ ଭଞ୍ଜ ଜୟନ୍ତୀ ସହିତ ସନ୍ଥ କବି ଭୀମ ଭୋଇ ଶ୍ରାଦ୍ଧ ଉତ୍ସବ ଏହିପରି ମୋଟ ୨୧ ଜଣ ମହାପୁରୁଷଙ୍କ ଆବିର୍ଭାବ ଓ ତିରୋଧାନ ଦିବସ ସରକାରଙ୍କ ସଂସ୍କୃତି ବିଭାଗ, ସାହିତ୍ୟ ଏକାଡେମୀ ପକ୍ଷରୁ ପାଳନ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଖୋର୍ଦ୍ଧା ଜିଲ୍ଲା ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି କବି ସୁନୀଲ ମିଶ୍ରଙ୍କ ସହିତ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଅଧ୍ୟକ୍ଷ ଶ୍ରୀଯୁକ୍ତ ଶତପଥୀ କହିଛନ୍ତି ଯେ, ପୂଜ୍ୟପୂଜା ହେଉଛି ଉତ୍କଳର ପାତାଳଭେଦୀ ସଂସ୍କୃତି । ପୂଜ୍ୟମାନଙ୍କୁ ଯଥାସମ୍ଭବ ସବୁ ସ୍ତରରୁ ସମ୍ମାନ ହେବା ଆବଶ୍ୟକ । ୨୦୨୨-୨୩ ବର୍ଷରୁ ସରକାର ଏ ବାବଦରେ, ୫,୨୫,୦୦୦/- (ପାଞ୍ଚ ଲକ୍ଷ ପଚିଶି ହଜାର) ଅର୍ଥ ବରାଦ କରିଛନ୍ତି । ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ କୁମାର ରାଉତ ଚିଠି ମାଧ୍ୟମରେ ନିର୍ଦ୍ଦେଶକ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗକୁ ଜଣାଇଛନ୍ତି ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ କହିଛନ୍ତି ।
