ସୋରରେ ଦୁର୍ଘଟଣାଗ୍ରସ୍ଥ ଯୁବକଙ୍କର ମୃତ୍ୟୁ
ସୋର : ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର ବେଳେ ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କର ସୋର ମେଡିକାଲରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଆଜି ସକାଳେ ଖଡଗପୁରରୁ ଏକ ଟ୍ରେନ ଯୋଗେ ଜଳେଶ୍ୱର ଆସୁଥିବା ଜଳେଶ୍ୱର ଶାସନବାଡ଼ ଗ୍ରାମର ସେକ ଜୁମନଙ୍କ ପୁଅ ସେକ ଜଲିରୁଦ୍ଦିନ (୨୮) ବେଲଦା ଷ୍ଟେସନଠାରୁ ଅନତି ଦୂରରେ ଟ୍ରେନରୁ ଖସି ପଡ଼ିଥିଲେ । ‘ଳରେ ତାଙ୍କର ଗୋଡ଼ ଦୁଇଟି କଟି ଯାଇ ଗୁରୁତ୍ତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱର ମେଡ଼ିକାଲରେ ଭର୍ତ୍ତି କରିବା ପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ ବେଳେ ସୋର ଉତ୍ତରେଶ୍ୱର ନିକଟରେ ସ୍ୱାସ୍ଥ ଅବସ୍ଥା ବିଗିଡି ଯିବାରୁ ସୋର ମେଡ଼ିକାଲକୁ ନେଇଥିଲେ । କିନ୍ତୁ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ରଖିଥିବା ଜଣାଯାଇଛି ।
