ମୁନ କମ୍ୟୁନିକେସନ ତରଫରୁ ବିଶ୍ୱ ଓଜୋନ ଦିବସ ପାଳନ
ବାଲେଶ୍ୱର : ବାଲେଶ୍ୱରର ସାମାଜିକ ସଂଗଠନ ମୁନ କମ୍ୟୁନିକେସନ ତରଫରୁ ବିଶ୍ୱ ତାପାୟନ ଓ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବିଶ୍ୱ ଓଜୋନ ଦିବସ ପାଳିତ ହୋଇଛି । କମ୍ୟୁନିକେସନର ସମ୍ପାଦକ ଅବନୀ କୁମାର ଜେନାଙ୍କ ନେତୃତ୍ୱରେ ଦିବସ ବ୍ୟାପି କାର୍ଯ୍ୟକ୍ରମରେ ସଦର ବ୍ଲକର ୨୦ଗୋଟି ଯୁବକ ସଂଘର ସଦସ୍ୟମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇ ଥିଲା ।
ଅତିଥି ଭାବେ କଳିଙ୍ଗ ଟେଲରିଙ୍ଗର ମୁଖ୍ୟ ପଙ୍କଜିନୀ ଦାସ ଫ୍ରିଜ ଓ ଶୀତତାପ ଯନ୍ତ୍ରରେ ଓଜୋନ ଫ୍ରେଣ୍ଡଲି ଗ୍ୟାସ ବ୍ୟବହାର କରି ଓଜୋନ ସ୍ତରକୁ ସୁରକ୍ଷା ଦେବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । ଅନ୍ୟତମ ଅତିଥି ଭାବେ ଶିକ୍ଷୟିତ୍ରୀ ସବିତା ନାୟକ ସୂର୍ଯ୍ୟଙ୍କର ଅତି ବାଇଗଣୀ ରଶ୍ମିର ପ୍ରଭାବରେ ପୃଥିବୀରେ ଚର୍ମ କ୍ୟାନ୍ସର ଓ ମୋତିଆ ବିନ୍ଦୁ ଭଳି ରୋଗ ବଢ଼ି ଚାଲିଛି ଏଣୁ ଓଜୋନ ସ୍ତରର ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବା ସହ ପରିବେଶ ପାଇଁ ବ୍ୟାପକ ବୃକ୍ଷ ରୋପଣ କରିବାକୁ ଆହ୍ୱାନ ଦେଇଥିଲେ । ନେହେରୁ ଯୁବ କେନ୍ଦ୍ରର ପୂର୍ବତନ ସ୍ୱେଛାସେବୀ ଭବାନୀ ଶଙ୍କର ବେହେରା ଆଣ୍ଟାର୍କଟିକାରେ ଓଜୋନ ଗ୍ୟାସରେ ସୃଷ୍ଟି ହୋଇ ଥିବା ଗର୍ତ୍ତ ପାଇଁ ପୃଥିବୀର ଜୈବ ବିବିଧତା ଏବେ ବିପଦରେ ଏଣୁ ସମସ୍ତଙ୍କୁ ଓଜୋନ ସ୍ତରର ସୁରକ୍ଷା ପାଇଁ ଆଗେଇ ବିଭିନ୍ନ ଉପାୟ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଅପରାହ୍ନରେ ରଣସାହି ଓ ଗୁଡ଼ ପଞ୍ଚାୟତରେ ସ୍କୁଲ ପିଲାଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ଥିଲା । ରାଜଶ୍ରୀ ବାରିକ, ସ୍ନେହଲତା ବେହେରା, ହିମାଂଶୁ ବେହେରା, ସସ୍ମିତା ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
