ଦୁର୍ଗା ପୂଜାରେ ମା’ କାକଟପୁର ମଙ୍ଗଳାଙ୍କ ପୂଜା ଅନ୍ୟତମ
ଓଡ଼ିଶାର ପୁରୀ ଜିଲାର କାକଟପୁର ଠାରେ ପ୍ରାଚୀ ନଦୀ କୂଳରେ ଅବସ୍ଥିତ କାକଟପୁର ମଙ୍ଗଳା ମନ୍ଦିର । ଏହା ଓଡ଼ିଶାର ଏକ ପୁରାତନ ଓ ପ୍ରସିଦ୍ଧ ଶକ୍ତିପୀଠ ଅଟେ। ବର୍ଷ ତମାମ ଏଠାକୁ ଭକ୍ତମାନେ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ପ୍ରସିଦ୍ଧ ଦୁର୍ଗା ପୂଜା ମଧ୍ୟରେ ଅନ୍ୟତମ ମା’ କାକଟପୁର ମଙ୍ଗଳାଙ୍କ ପୂଜା ।
ପ୍ରଚଳିତ ଲୋକକଥା ଅନୁଯାୟୀ, ମା’ ମଙ୍ଗଳାଙ୍କ ବିଗ୍ରହ ବହୁକାଳ ପର୍ଯ୍ୟନ୍ତ ପ୍ରାଚୀ ନଦୀର ଗର୍ଭରେ ଲୁଚିରହିଥିଲେ । ଦିନେ ନଦୀରେ ନିଜର ନାବ ବାହୁଥିବା ବେଳେ ବନ୍ୟା ଆସିବାରୁ, ନାଉରିଆ ଥଳକୂଳ ନପାଇ ଭାସି ଯାଉଥିବା ବେଳେ ମଝି ନଈରେ ତାର ନାବ ସ୍ଥିରହୋଇ ରହିଲା ଓ ନାବ ସହିତ ରକ୍ଷା ପାଇଲା। କିନ୍ତୁ ସେ ଜାଣିପାରିଲା ନାହିଁ ଯେ ସେ କିପରି ରକ୍ଷା ପାଇଲା ଏହିପରି ଚିନ୍ତାରେ ଥିବାବେଳେ ଥରେ ପ୍ରାତଃକାଳରେ ମା’ଙ୍କର ସ୍ୱପ୍ନାଦେଶ ପାଇ ତାଙ୍କ ବିଗ୍ରହକୁ ନଦୀ ଗର୍ଭରୁ ଉଦ୍ଧାର କରି ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ପୂଜାର ବ୍ୟବସ୍ଥା କଲା। କିଛି ସମୟ ଅତିକ୍ରାନ୍ତେ ଏକ କଳା ବର୍ଣ୍ଣର ‘କାକ’ଟିଏ ପ୍ରାଚୀ ନଦୀକୁ ଲମ୍ଫ ଦେଲା। ବହୁ ସମୟ, ବହୁଦିନ ଅତିକ୍ରମ କରିଗଲା କିନ୍ତୁ ସେହି କାକଟି ଆଉ ଫେରିଲା ନାଇଁ, କାରଣ ସେ ନଦୀର ଭିତର ପାର୍ଶ୍ୱରେ ଅଟକି ଯାଇଥିଲା, ଯେଉଁ ସ୍ଥାନରେ ନାଉରିଆଟି ମା’ମଙ୍ଗଳାଙ୍କ ପ୍ରତିମୂର୍ତ୍ତିକୁ ପାଇଥିଲା।
ଆମର ସ୍ଥାନୀୟ ଭାଷାରେ ଇଂରାଜୀ ଶବ୍ଦ ‘କ୍ରୋ’ ମାନେ କାକ ଏବଂ ‘ଡିଟେଣ୍ଡ’ମାନେ’ଅଟକ’। ତେଣୁ ଏହି ଶବ୍ଦ ଦ୍ୱୟକୁ ଏକତ୍ର କରି ‘କାକଟକ’ ରଖାଯାଇଥିଲା। କିଛି ସମୟ ଅତିକ୍ରମ କଲା ପରେ ମଙ୍ଗଳପୁର ଗ୍ରାମଟି କାକଟପୁର ନାମରେ ନାମିତ ହେଲା। ମା’ଙ୍କୁ କାକଟପୁର ମଙ୍ଗଳା ନାମେ ପରିଚାଳିତ କରାଗଲା।
ପ୍ରତି ୧୨ବର୍ଷରେ ଥରେ ପୁରୀ ପ୍ରଖ୍ୟାତ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରାଙ୍କର ନବକଳେବରରେ ବ୍ରହ୍ମ ପରିବର୍ତ୍ତନ ଶୈଳୀ ଆରମ୍ଭ ହୋଇଥାଏ। ଏହି ସମୟରେ ପୁରୀର ସମସ୍ତ ଧର୍ମ ପୂଜକ ଭଗବାନଙ୍କ ସମ୍ବନ୍ଧରେ ପଥପ୍ରଦର୍ଶକ ରୂପେ ମା’ମଙ୍ଗଳାଙ୍କ ଆରାଧନା କରିଥାନ୍ତି। ପରେ ମା’ମଙ୍ଗଳ ସେମାନଙ୍କ ସ୍ୱପ୍ନରେ ଆବିର୍ଭୁତ ହୋଇ ତିନି ଦିବ୍ୟ’ଦାରୁବ୍ରହ୍ମ’ବୃକ୍ଷ ଗୁଡ଼ିକୁ ସଠିକ ସ୍ଥାନରେ ଦୃଶ୍ୟମାନ କରାଇଥାନ୍ତି।
ଆଶ୍ୱିନ ମାସର ମୂଳାଷ୍ଟମୀ ତିଥିଠାରୁ ମା ’ ମଙ୍ଗଳାଙ୍କ ମନ୍ଦିରରେ ପାରମ୍ପାରିକ ପ୍ରଥା ଅନୁସାରେ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହେଇ ବିଜୟାଦଶମୀ, ଦଶହରା ଦିନ ଶେଷ ହେଇଥାଏ । ପ୍ରଥମ ଦିନ କଳସ ପୂଜା ଆରମ୍ଭ ହେଇ ସହସ୍ରାକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୁଏ । ଅକ ତମ୍ବାପାତ୍ରରେ ଅଗରୁ, ଚନ୍ଦନ, ହଳଦୀ, ଚୁଆ, କ୍ଷୀର, ମହୁ, ନବାତ ଆଦି ଶୁଦ୍ଧପାଣିରେ ମିଶାଯାଇ ୧୦୭ କଳସ ଜଳରେ ମା’ଙ୍କୁ ସ୍ନାନମାର୍ଜଣା କରାଯାଏ। ସାଧାରଣତଃ ପ୍ରତ୍ୟେକ ଦିନ ମା’ ସ୍ନାନ ସମୟରେ ମନ୍ଦିରର ପହୁଡ଼ ପଡୁଥିବା ବେଳେ ଏହିଦିନ ସ୍ନାନ ସମୟରେ ସାହାଣ ମେଲା ରଖାଯାଉଥିବାରୁ ଭକ୍ତମାନେ ମା’ଙ୍କ ସଂପୂର୍ଣ୍ଣ ଅବୟବ ସହିତ ସ୍ନାନମାର୍ଜଣା ନୀତିର ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଏହା ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ । ସନ୍ଧ୍ୟାକୁ ସକାଳ ଧୂପ ହୁଏ । ପରେ ସନ୍ଧ୍ୟା ଆଳତି, ସ୍ନାନ ମାର୍ଜଣା ହୁଏ ଏବଂ ମା’ଙ୍କୁ ସାଧାରଣ ବେଶରେ ସଜାଇ ଦର୍ଶନ ପାଇଁ ମନ୍ଦିରର ସାହାଣ ମେଲା କରାଯାଏ । ରାତି ପ୍ରାୟ ୩ ଟାକୁ ରାତ୍ରଧୂପ ଓ ପରେ ବଡ଼ସିଂହାର ନୀତି କରାଯାଇ ପହୁଡ଼ କରାଯାଏ । ମନ୍ଦିର ବେଢାରେ ପ୍ରତ୍ୟେହ ପ୍ରାତଃରେ ଜପ ଓ ମଧ୍ୟାହ୍ନରେ ସପ୍ତସତୀ ଚଣ୍ଡିପାଠ କରାଯାଏ ।ମୂଳାଷ୍ଟମୀ ଠାରୁ ତୃତୀୟା ପର୍ଯ୍ୟନ୍ତ ଏହି ପରି ନୀତି ଅନୁଷ୍ଠିତ ହେଇଥାଏ ।
ଚତୁର୍ଥୀ ତିଥି ସନ୍ଧ୍ୟାରେ ମା’ଙ୍କୁ କଲିବେଶରେ ସଜ୍ଜିତ କରାଯାଏ । ମା’ଙ୍କ ପ୍ରତିମା ପଛପଟେ ସୁନ୍ଦର ଧଡ଼ିଥିବା ଶାଢ଼ୀ ପ୍ରଭା ଭାବେ ସଜ୍ଜିତ କରାଯାଇଥିବାରୁ ଏହି ବେଶକୁ କଲିବେଶ କୁହାଯାଏ । ପଞ୍ଚମୀ ତିଥିରେ ମା’ଙ୍କୁ ତୀରକମାଣ ବା ରଘୁନାଥ ବେଶରେ ସଜ୍ଜିତ କରାଯାଏ । କାଠ ତିଆରି ଗୋଡ଼ ଓ ହାତରେ ଧନୁତୀର, କାମାଣ ଆଦି ଅସ୍ତ୍ରଶସ୍ତ୍ର ମା’ଙ୍କୁ ଲାଗି କରାଯାଏ । ପଞ୍ଚମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମଙ୍ଗଳାଙ୍କ ମନ୍ଦିରରେ ପ୍ରମଣି ନୀତି ନାମକ ଏକ ସ୍ୱତନ୍ତ୍ର ନୀତି ପାଳନ ହୋଇଥାଏ। ଉକ୍ତଦିନମାନଙ୍କରେ ବିଳମ୍ବିତ ରାତିରେ ମା’ଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ମଣିବିମାନରେ ପାର୍ବଣ ମଣ୍ଡପକୁ ନେଇ ବିଜେ କରାଯାଏ । ବିଶ୍ୱାସ ରହିଛି ମହିଷାସୁରକୁ ଠାବ କରିବା ପାଇଁ ମା’ ସବୁଆଡେ ଭ୍ରମଣ କରନ୍ତି । ଷଷ୍ଠି ତିଥିରେ ମା’ ଶୋଭା ପାଆନ୍ତି କାତିଖର୍ପର ବେଶରେ । ପୂର୍ବରୁ ମା’ଙ୍କୁ ଲାଗି ହେଇଥିବା ଅସ୍ତ୍ରଶସ୍ତ୍ର ସହିତ ଏହିଦିନ କାତି (ଖଣ୍ଡା), ଖର୍ପର (ବର୍ଚ୍ଛା), ସରା (ରକ୍ତ ସଂଗ୍ରହ ପାତ୍ର) ପ୍ରଭୃତି ଅସ୍ତ୍ରଶସ୍ତ୍ର ଲାଗି କରାଯାଇଥାଏ । ମହିଷାସୁର ସହିତ ଯୁଦ୍ଧ କରିବାକୁ ଯିବା ପୂର୍ବରୁ ମା’ ଦୁର୍ଗା ଯେଉଁ ସବୁ କାର୍ଯ୍ୟ କରିଥିବା ଚଣ୍ଡି ପୁରାଣରେ ବର୍ଣ୍ଣିତ ହୋଇ ତଦନୁସାରେ ମା’ ମଙ୍ଗଳାଙ୍କୁ ସଜ୍ଜିତ କରାଯାଏ । ସପ୍ତମୀ ତିଥିରେ ମା’ଙ୍କୁ ସିଂହବାହିନୀ ବେଶରେ ସଜ୍ଜିତକରାଯାଏ । ପାର୍ବଣ ପୂଜାରେ ଅନୁଷ୍ଠିତ ବେଶଗୁଡିକ ମଧ୍ୟରୁ ଏହି ବେଶ ମା’ଙ୍କର ପ୍ରସିଦ୍ଧ ବେଶ । ମହାଷ୍ଟମୀ ତିଥିରେ ମା’ଙ୍କୁ ମହିଷାମର୍ଦ୍ଦିନୀ ବେଶରେ ସଜ୍ଜିତ କରାଯାଏ । ଏହି ବେଶରେ ମା’ ମଙ୍ଗଳାଙ୍କ ଶାନ୍ତ ସରଳ ଆଖି ଭୟଙ୍କର ଦେଖାଯାଏ । ବିଳମ୍ବିତ ରାତିରେ ସନ୍ଧିପୂଜା ଓ କୁଷ୍ମାଣ୍ଡବଳୀ ନୀତି ଅନୁଷ୍ଠିତ ହୋଇଥାଏ ।
ଅତୀତରେ ଏଠାରେ ମହିଷ (ମଇଁଷି) ବଳି ପଡୁଥିଲା । ଏବେ ଆଉ ସେ ପ୍ରଥା ନାହିଁ । ୧୯୬୯ମସିହାରୁ ମହିଷ ବଳିପ୍ରଥା ବନ୍ଦହେଇ କୁଷ୍ମାଣ୍ଡ (ପାଣିକଖାରୁ) ବଳି ଦିଆଯାଉଛି । ନବମୀ ତିଥିରେ ମା’ଙ୍କ ଉଗ୍ର ରୂପକୁ ଶାନ୍ତ କରିବାକୁ ଶାନ୍ତି ପୂଜା ଓ ଶାନ୍ତି ବେଶ ଅନୁଷ୍ଠିତ ହେଇଥାଏ । ମା’ଙ୍କୁ ଏହି ଦିନ ଧଳାଶାଢ଼ୀ ଓ ଧଳା ଫୁଲରେ ସଜ୍ଜିତ କରାଯାଏ । ଶେଷଦିନ ଅର୍ଥାତ ଦଶହରା ଦିନ ମା’ଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ଆଲୋକ, ଆତସବାଜିର ପଟୁଆରରେ ମନ୍ଦିରରୁ କିଛି ଦୂର ସମେଶ୍ୱର ଶମ୍ଭୁମନ୍ଦିରକୁ ନିଆଯାଏ । ସେଠାରେ ହରଦୁର୍ଗା ଭେଟ ନୀତି ସମ୍ପନ୍ନ ହୁଏ । ଏମିତି ଭାବେ ମୂଳାଷ୍ଟମୀ ତିଥି ଠାରୁ ଆରମ୍ଭ ହୋଇ ଶାରଦୀୟ ପାର୍ବଣ ପୂଜା ଶେଷ ହୋଇଥାଏ ।
