ଅହିଂସା ରଥ ପରିକ୍ରମାରେ ଦୁଲୁକିଲା ଭୋଗରାଇ; ୮ଟି ସ୍ଥାନରେ ଭବ୍ୟ ସ୍ୱାଗତ
ଭୋଗରାଇ : ସ୍ୱାଧୀନତାର ୭୫ ବର୍ଷ ଅମୃତ ମହୋତ୍ସବ ଓ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ଗାନ୍ଧିଜୀଙ୍କ ଅହିଂସା ନୀତି ଆଦର୍ଶକୁ ପ୍ରଚାର ଓ ପ୍ରସାର କରିବାକୁ ‘ଅହିଂସା ରଥ’ ମାଧ୍ୟମରେ ଅଣ୍ଟା ଭିଡ଼ିଥିବା ବେଳେ ଗୁରୁବାର ଏହି ରଥ ଭୋଗରାଇର ଅନ୍ୟ ଏକ ପ୍ରବେଶ ପଥ ଉଲୁଡ଼ାର ଶଙ୍ଖାରୀ ଗ୍ରାମ ପର୍ଯ୍ୟନ୍ତ ପରିକ୍ରମା କରିଛି ।
ଅହିଂସା ରଥ ବାଲିଆପାଳରୁ ସିଧା ଭୋଗରାଇରେ ପ୍ରଥମ ଉଲୁଡ଼ା ଗ୍ରାମରେ ପହଞ୍ôଚବା ପରେ ସେଠାରେ ଥିବା ୫ ପଞ୍ଚାୟତର ୫ହଜାରରୁ ଉର୍ଦ୍ଧ୍ୱ ମହିଳାପୁରୁଷ, ଛାତ୍ରୀଛାତ୍ର, ଜନପ୍ରତିନିଧିମାନେ ମହାତ୍ମା ଗାନ୍ଧିଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ, ଶଙ୍ଖନାଦରେ ଭବ୍ୟ ସ୍ୱାଗତ କରିଥିଲେ । ଏହି ରଥ ଉଲୁଡାରୁ ବାହାରି ବାହାର୍ଦ୍ଦା, କମର୍ଦ୍ଦା, କଟୁଆଡ଼ି, ଥାନାଛକ, ଜଳସୋହରିଆ ପାନ ମାର୍କେଟ୍, ଚନ୍ଦନେଶ୍ୱର ଓ ଶଙ୍ଖାରୀ ଗ୍ରାମରେ ପହଞ୍ଚିଥିଲା । ଭୋଗରାଇ ବ୍ଲକର ୫୦ ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ସ୍ଥାନଗୁଡ଼ିକରେ ଏହି ରଥକୁ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ସହ ଢାକ, ଢ଼ୋଲ ବାଦ୍ୟରେ ନିଆଯାଇଥିଲା । ଜଳେଶ୍ୱର-ଚନ୍ଦନେଶ୍ୱର ୫୭ନଂ. ରାଜ୍ୟ ରାଜପଥରେ ବିଭିନ୍ନ ସ୍ଥାନରେ ରଥକୁ ଅଟକାଯାଇ ଗାନ୍ଧିଜୀଙ୍କ ଅହିଂସା ନୀତିକୁ ପାଥେୟ କରିବାକୁ ଆୟୋଜନକାରୀଙ୍କ ପକ୍ଷରୁ ଜନସଚେତନତା କରାଯାଇଥିଲା । ସମସ୍ତ ସ୍ଥାନରେ ଛାତ୍ରୀଛାତ୍ରଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ବିଭିନ୍ନ ବାଦ୍ୟ ଓ ଶଙ୍ଖ ହୁଳହୁଳିରେ ଭୋଗରାଇ ମାଟି ଦୁଲୁକିଥିଲା । ଉକ୍ତ ରଥ ପରିକ୍ରମା ନିମନ୍ତେ ଜିଲା ଯୋଜନା ବୋର୍ଡ଼ର ସଭାପତି ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ, ବ୍ଲକ ଚେୟାରମ୍ୟାନ୍ ପ୍ରବୀର କୁମାର ଗିରି, ଭାଇସ୍ ଚେୟାରମ୍ୟାନ୍ ମୀନାରାଣୀ ସୁର, ପୂର୍ବତନ ଭାଇସ ଚେୟାରମ୍ୟାନ୍ ଦୀପକ କୁମାର ଦାସ, ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ ମିହିର କୁମାର ପ୍ରଧାନ, ଏବିଇଓ ଯୋଗେଶ୍ୱର ଜେନା, ବିଜେଡି ଜିଲା ଉପସଭାପତି ଭୁବନାନନ୍ଦ ଦାସ, ସମିତିସଦସ୍ୟ ଭବେନ୍ଦ୍ର ସାହୁ, ବିଜେଡି ଜିଲା ସମ୍ପାଦକ ତପନ କୁମାର ପଣ୍ଡା, ବିଜେଡି ସଭାପତି ରମାକାନ୍ତ କରଣ, ଛ ଜିଲା ପରିଷଦ ସଦସ୍ୟାସଦସ୍ୟ, ସରପଞ୍ଚ, ପଞ୍ଚାୟତ ସମିତିସଦସ୍ୟାସଦସ୍ୟ, ପ୍ରଶାସନ ଓ ପୋଲିସ ଏହି ରଥ ପରିକ୍ରମାରେ ସାମିଲ ଥିଲେ ।
