ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ! ଜାଣନ୍ତୁ ଏହାର ମହତ୍ତ୍ୱ ଓ ଇତିହାସ
ସେପ୍ଟେମ୍ବର ୧୫ ତାରିଖକୁ ପାଳନ କରାଯାଉଛି ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଭାବେ । ଜାତିସଂଘ ସାଧାରଣ ପରିଷଦର ଅନୁମୋଦନ କ୍ରମେ ଗତ ବର୍ଷ ଠାରୁ ଏହା ପାଳନ କରାଯାଉଛି । ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରତିବାଦ ଜରିଆରେ ଫିଲିପିନ୍ସରେ କୋରାଜନ୍ ସି ଆକ୍ୱିନୋ ପ୍ରତିଷ୍ଠା କରିଥିଲେ ଏକ ଗଣତାନ୍ତ୍ରିକ ସରକାର ଏବଂ ଫର୍ଡ଼ିନାଣ୍ଡ୍ ମାର୍କୋସ୍ଙ୍କ ୨୦ ବର୍ଷର ସ୍ୱୈର ଶାସନର ଅନ୍ତ ଘଟିଥିଲା ଏହା ସହିତ ।
ଆକ୍ୱିନୋ ତାହାକୁ ନାମିତ କରିଥିଲେ “ଲୋକ ଶକ୍ତି ବିପ୍ଳବ’ ଭାବେ । ଫିଲିପିନ୍ସରେ ଶାନ୍ତି ପ୍ରତିଷ୍ଠା ହେବା ପରେ ଗଣତନ୍ତ୍ରକୁ ସମଗ୍ର ବିଶ୍ୱରେ ଲୋକପ୍ରିୟ କରାଇବା ସହ ଏ ବାବଦରେ ସମଗ୍ର ବିଶ୍ୱରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ସେ ବ୍ୟକ୍ତିଗତ ଭାବେ ଉଦ୍ୟମ ଆରମ୍ଭ କରିଥିଲେ । ପରବର୍ତ୍ତୀ କାଳରେ ବିଶ୍ୱ ସମୁଦାୟ ତାଙ୍କ ପ୍ରସ୍ତାବରେ ଏକମତ ହୋଇଥିଲେ ଏବଂ ୨୦୦୭ ନଭେମ୍ବର ୮ ତାରିଖରେ ଜାତିସଂଘର ସାଧାରଣ ପରିଷଦରେ ସଭ୍ୟ ରାଷ୍ଟ୍ର ବୃନ୍ଦ ସେପ୍ଟେମ୍ବର ୧୫ ତାରିଖକୁ ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଭାବେ ପାଳନ କରିବାକୁ ସମ୍ମତ ହୋଇଥିଲେ । ଏହି ଦିବସର ବାର୍ତ୍ତା ହେଉଛି ଗଣତନ୍ତ୍ର କୌଣସି ନିର୍ଦ୍ଧିଷ୍ଟ ରାଷ୍ଟ୍ର କି ଅଞ୍ଚଳର ସଂପତ୍ତି ନୁହେଁ । ଏହା ସମଗ୍ର ବିଶ୍ୱର । ଲୋକଙ୍କର ମୁକ୍ତ ଇଛା ଉପରେ ଏହା ପର୍ଯ୍ୟବସତି । ଏଣୁ ସବୁଠାରୁ ଅଧିକ ଗ୍ରହଣୀୟ ଶାସନ ବ୍ୟବସ୍ଥା ।
ସମଗ୍ର ବିଶ୍ୱରେ ଭାରତର ଗଣତନ୍ତ୍ର ସର୍ବଜନାଦୃତ ଏବଂ ଲୋକପ୍ରିୟ । ପୃଥିବୀର ଅନ୍ୟତମ ଜନସଂଖ୍ୟା ବହୁଳ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତିରେ ବିଶ୍ୱାସ ରଖୁଥିବା ଭାରତ ଆଜି ସମଗ୍ର ବିଶ୍ୱ ସମୁଦାୟ ପାଇଁ ନିଜର ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଆଦର୍ଷଣୀୟ ଓ ପ୍ରଶଂସନୀୟ । ଭାରତୀୟ ଗଣତନ୍ତ୍ର ଲୋକପ୍ରତିନିଧିମୂଳକ ଶାସନରେ ବିଶ୍ୱାସ ରଖିଥାଏ । ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଲୋକ ପ୍ରତିନିଧି ମୂଳକ ଶାସନ ନିୟମିତ ସମୟରେ ଅନୁଷ୍ଠିତ ହୋଇଥାଏ । ଶକ୍ତିଶାଳୀ ଇଂରେଜ ମାନଙ୍କୁ ଭାରତରୁ ବିତାଡ଼ିତ କଲାପରେ ଭାରତ ନିଜସ୍ୱ ସାମର୍ଥ୍ୟରେ ଆଜି ଦେଶକୁ ବେଶ ପ୍ରଗତି ପଥରେ ଅଗ୍ରସର କରିବାକୁ ସକ୍ଷମ ହୋଇଛି । ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଭ୍ୟଭାବେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମାନେ ଏପରିକି ଜାତିସଂଘର ଏହି ସର୍ବୋଚ୍ଚ ପରିଷଦରେ ଭାରତର ସଭ୍ୟ ପଦ ପାଇଁ ନିଜର ସମର୍ଥନ ଦେଉଛନ୍ତି । ନିଜ ପଡ଼େଶୀ ରାଷ୍ଟ୍ରମାନଙ୍କ ସହ ସୁସମ୍ପର୍କ ରଖି ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେମାନଙ୍କର ଜଣେ ବିଶ୍ୱସ୍ତ ଓ ନିଷ୍ଠାପର ସାଥୀଭାବେ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗର ହାତ ମଧ୍ୟ ଭାରତ ବଢ଼ାଉଛି । ଆଜି ସମଗ୍ର ବିଶ୍ୱରେ ବିଭିନ୍ନ ରାଷ୍ଟ୍ରରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଜନସଚେତନତା ଲୋକପ୍ରିୟ ଭାବେ ବୃଦ୍ଧି ପାଉଛି । ପିଢ଼ୀ ପିଢ଼ୀ ଧରି ରାଜତନ୍ତ୍ର ହେଉ ବା ବଂଶାନୁକ୍ରମିକ ଶାସନକୁ ବିରୋଧ କରି ସେହି ଦେଶର ଜନସାଧାରଣ ସରକାରଙ୍କୁ ବାଧ୍ୟ କରୁଛନ୍ତି ଗଣତନ୍ତ୍ର ପ୍ରତିଷ୍ଠା ପାଇଁ । ଯଥାର୍ଥରେ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଆବ୍ରାହମ୍ ଲିଙ୍କନ୍ କହିଥିଲେ \”ଗଣତନ୍ତ୍ର ବୁଝାଏ ଲୋକମାନଙ୍କ ପାଇ, ଲୋକମାନଙ୍କର ଏବଂ ଲୋକମାନଙ୍କ ଦ୍ୱାରା’ । ବାସ୍ତବରେ ଗଣତନ୍ତ୍ର ହେଉଛି ଲୋକମାନଙ୍କର । ସେମାନଙ୍କ ଭିତରୁ ନିର୍ବାଚିତ ପ୍ରତିନିଧିଙ୍କ ଶାସନ । ଗଣତନ୍ତ୍ର ଏକ ସରକାରୀ ଦଳ ସହ ବିରୋଧି ଦଳର ସମର୍ଥନ, ସମାଲୋଚନାକୁ ବିଶ୍ୱାସ କରି ରାଷ୍ଟ୍ରର ପ୍ରଗତିରେ ନିଜକୁ ଭାଗୀଦାର କରିଥାଏ । ଆଜି ବିଶ୍ୱର ବିଭିନ୍ନ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଲୋକମାନଙ୍କ ଭିତରେ ସ୍ୱତଃସ୍ଫୁର୍ତ୍ତ ଆଗ୍ରହ ବଢ଼ିବା ସହ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଦ୍ୱାରା ପୂର୍ବର ଶାସନ ବ୍ୟବସ୍ଥାକୁ ବଦଳାଇ ଲୋକପ୍ରତିନିଧି ମୂଳକ ଶାସନ ପାଇଁ ଉତ୍କଣ୍ଠା ଓ ଆଗ୍ରହ ବୃଦ୍ଧି ପାଉଛି । ଗଣତନ୍ତ୍ର ବିଶ୍ୱାସ କରିଥାଏ ସମାନତା ଓ ସମ୍ବିଧାନ ପ୍ରଣୀତ ନିର୍ଦ୍ଧିଷ୍ଟ ନୀତିନିୟମକୁ ଯାହାକି କୌଣସି ଜାତି ଭେଦ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ଆଇନ, ସମାନ ଅଧିକାର ଓ ସମାନ ସୁଯୋଗର ବିଶ୍ୱାସ ସୃଷ୍ଟି କରିଥାଏ । ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦେଖିଲେ ଜଣାଯାଏ ଏହାର ସମ୍ବିଧାନ ପ୍ରଣୀତାମାନେ ଭାରତୀୟଙ୍କ ଭାବନା, ଓ ସବୁପ୍ରକାର ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଯେଉଁ ଶାସନର ଖସଡ଼ା ପ୍ରସ୍ତୁତ କରିଯାଇଛନ୍ତି ତାହା ପରବର୍ତ୍ତୀ ସମୟରେ ଯେଉଁଦଳ ଶାସନ ଗାଦିସୀନ ହୁଅନ୍ତୁନା କାହିଁକି ଗଣତନ୍ତ୍ରକୁ ସମ୍ମାନ ଦେଇ ଏବଂ ଗଣତନ୍ତ୍ର ବ୍ୟବସ୍ଥା ଉପରେ ବିଶ୍ୱାସ ରଖି ଜନହିତକର ଶାସନ ବ୍ୟବସ୍ଥା ପ୍ରଚଳନ କରି ଆସୁଛନ୍ତି ଏହା ହିଁ ହେଉଛି ସମଗ୍ର ବିଶ୍ୱ ସମୁଦାୟ ପାଇଁ ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧ ଅନ୍ୟତମ ଶ୍ରେଷ୍ଠତ୍ୱ । ଭାରତୀୟ ଗଣତନ୍ତ୍ର ବିଭେଦତା ଭିତରେ ଏକତା ନୀତିରେ ବିଶ୍ୱାସ କରେ ।
ଆଜି ଅଖଣ୍ଡ ଭାରତ ବର୍ଷରେ କୋଟି କୋଟି ନାଗରିକ ନିଜ ଦେଶର ମୂଲ୍ୟବୋଧ ସମ୍ପନ୍ନ ଉଚ୍ଚ ମାନବିକତାର ନୀତି ଓ ଆଦର୍ଶ ଭିତ୍ତିକ ଗଣତନ୍ତ୍ର ପାଇଁ ବେଶ୍ ଗର୍ବ ଅନୁଭବ କରନ୍ତି । ଏହି ଦେଶରେ ଭାତୃତ୍ୱର ବନ୍ଧନୀ ସୁଦୃଢ଼ ହୋଇଛି ସ୍ୱାର୍ଥବିହୀନ ସମ୍ପର୍କକୁ ନେଇ । ଜାତି, ବର୍ଣ୍ଣ, ଲିଙ୍ଗ, ପଦପଦବୀ ଭାରତୀୟଙ୍କ ଭାଇଚାରାକୁ ମଜବୁତ୍ କରିବା ପାଇଁ ପ୍ରାସଙ୍ଗିକ ନହୋଇ ବରଂ ସମସ୍ତଙ୍କୁ ସାହାଯ୍ୟ କରିବାର ନୀତି ନେଇ ଏହି ଦେଶ ଆଜି ପ୍ରଗତିର ଧାରାରେ ନିଜକୁ ସାମିଲ କରିଛି । ନିଜ ଗୋଡ଼ରେ ଛିଡ଼ା ହେବାପରି ଭାରତ ଆଜି ନିଜସ୍ୱ ଶକ୍ତି ଓ ସାମର୍ଥ୍ୟକୁ ନେଇ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ବିଶ୍ୱାସ ରଖି ପ୍ରଗତିର ଧାରାରେ ନିଜକୁ ସାମିଲ କରିଛି । ଆଜି ବିଶ୍ୱ ଗଣତନ୍ତ୍ର ଦିବସ ଅବସରରେ ପ୍ରତିଟି ଭାରତୀୟ ଗର୍ବର ସହ ମୁକ୍ତକଣ୍ଠରେ କୁହନ୍ତୁ \”ମେରା ଭାରତ ମହାନ୍\’ ।
