ଏମଜିଏନଆରଇଜିଏସ ଓ ଏଫଡ଼ିଆର ପାଣ୍ଠି ହରିଲୁଟ୍ ଅଭିଯୋଗ; ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ଗ୍ରାମବାସୀଙ୍କ
ବାଲେଶ୍ୱର : ବାଲେଶ୍ୱର ଜିଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତ ଅନ୍ତର୍ଗତ ଧାନହଣ୍ଡା ଗ୍ରାମରେ ଏମଜିଏନଆର ଇଜିଏସ ଓ ଏଫଡିଆର ପାଣ୍ଠିକୁ ବିଭାଗୀୟ ଜେଇ ଓ ପଞ୍ଚାୟତ କର୍ତ୍ତୃପକ୍ଷ କାର୍ଯ୍ୟ ନ କରି ହରିଲୁଟ୍ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମୋଟ ଅନୁଦାନ ରାଶି ୬ଲକ୍ଷ ୨୦ହଜାର ଟଙ୍କାରେ କାର୍ଯ୍ୟ ନ ହୋଇ ଆତ୍ମସାତ କରାଯାଇଛି ବୋଲି ଧାନହଣ୍ଡା ଗାଁ ରେ ଆୟୋଜିତ ପ୍ରେସମିଟରେ ଗ୍ରାମବାସୀ ସୂଚନା ଦେଇଛନ୍ତି । ପ୍ରକୃତ ସତ୍ୟାସତ୍ୟ ପାଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି । ନ ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଗ୍ରାମର ଡ. ଭାଗବତ ପ୍ରସାଦ ବେହେରା, ରତ୍ନାକର ଗିରି, ମଧୁସୂଦନ ବାରିକ, ପରମାନନ୍ଦ ବେହେରା, ବରେନ୍ଦ୍ର ଧୀନ୍ଦା, ପ୍ରତାପ ଧୀନ୍ଦା, ଗଜେନ୍ଦ୍ର ବେହେରା, ଅମରଜିତ ଗିରି, ଗୋପାଳ ବାରିକ, ବିଜୟ ବେହେରା, କୈଳାସ ଗିରି, ରଞ୍ଜନ ବେହେରା ଓ ପୂର୍ଣ୍ଣଚନ୍ଦ୍ର ଧୀନ୍ଦା ପ୍ରମୁଖ ଚେତାବନୀ ଦେଇଛନ୍ତି ।
୨୦୨୧-୨୨ ଆର୍ôଥକ ବର୍ଷରେ ଧାନହଣ୍ଡା ହାଇସ୍କୁଲ ଠାରୁ ପଳାସ ବନ୍ଧ ପର୍ଯ୍ୟନ୍ତ ମାଟି, ମୋରମ ରାସ୍ତା ନିର୍ମାଣ ପାଇଁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ୫ ଲକ୍ଷ ଟଙ୍କା ଅନୁମୋଦିତ ହୋଇଥିଲା । ମାତ୍ର ନିର୍ଦ୍ଧାରିତ ସ୍ଥାନରେ କୌଣସି କାର୍ଯ୍ୟ କରାଯାଇ ନ ଥିବା ସ୍ଥଳେ ଗତ ଜୁନ ମାସରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ଫଳକ ଲାଗିଛି । ସେହିପରି ୨୦୨୧-୨୨ ବର୍ଷରେ ଏଫଡ଼ିଅକ୍ଷର ପାଣ୍ଠିରେ ଗଜେନ୍ଦ୍ର ବେହେରା ଘର ଠାରୁ ଅଙ୍ଗନୱାଡ଼ି କେନ୍ଦ୍ର ପର୍ଯ୍ୟନ୍ତ ଏକ ବନ୍ୟା ପ୍ରତିବନ୍ଧକ ବନ୍ଧ କାର୍ଯ୍ୟ ପାଇଁ ୧ଲକ୍ଷ ୨୦ହଜାର ଟଙ୍କା ଅନୁଦାନ ମିଳିଥିଲା । ଉକ୍ତ ପ୍ରୋଜେକ୍ଟ ମୁତାବକ ସେଠାରେ ମଧ୍ୟ କୌଣସି କାର୍ଯ୍ୟ ନ ହୋଇ ସୂଚନା ଫଳକ ଲଗାଯାଇଛି । ଉଭୟ ପ୍ରକଳ୍ପରେ ବିଭାଗୀୟ ଜେଇ ଓ ପଞ୍ଚାୟତ କର୍ତୃପକ୍ଷଙ୍କ ସଲାସୁତୁରାରେ ବ୍ୟାପକ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ ଜିଲାପାଳ, ବିଡ଼ିଓ ଓ ବିଧାୟକଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।
