ପୋଖରୀରେ ବିଷ ପ୍ରୟୋଗ ମାମଲା : ୩ ଆସାମୀଙ୍କୁ ୭ହଜାର ୫ଶହ ଅର୍ଥଦଣ୍ଡ
ବସ୍ତା : ବାଲେଶ୍ୱର ଜିଲା ବସ୍ତା କୋର୍ଟର ମାନ୍ୟବର ବିଚାରପତି ସୁଶ୍ରୀ ଗାୟତ୍ରୀ ମିଶ୍ର ସୋମବାର ଏକ ମାମଲାର ବିଚାର କରି ଆସାମୀମାନଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୦୫ ମସିହାରେ ବସ୍ତା ଥାନା ମୁକୁନ୍ଦପୁର ଗ୍ରାମର ଏକ ପୋଖରୀରେ ବିଷ ପ୍ରୟୋଗ ଘଟଣାକୁ ନେଇ ଅଭିଯୋଗକାରୀ ଅଜୟ କୁମାର ବେହେରାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ. ୯୮/୨୦୦୫) ରୁଜୁ କରି ତଦନ୍ତ ଜାରି ରଖିଥିଲେ । ଆସାମୀ ଦିବାକର ପୃଷ୍ଟି ଓ ତାଙ୍କ ଦୁଇ ପୁଅ କଟ ପୃଷ୍ଟି, କାଶୀନାଥ ପୃଷ୍ଟିଙ୍କ ବିରୁଦ୍ଧରେ ସାକ୍ଷ୍ୟ, ପ୍ରମାଣ ମିଳିବା ପରେ କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ବିଧାନ ରାୟ ଶୁଣାଇଛନ୍ତି ।
କୋର୍ଟରେ ବିଚାରଧୀନ ଏହି ମାମଲାର ଆସାମୀମାନଙ୍କ ବିରୁଦ୍ଧରେ ଦଫା ୨୯୪/୩୪୧/୩୨୩/୩୪୨/୩୪ ଆଇପିସିର ତଦନ୍ତ କରି ବସ୍ତା କୋର୍ଟର ସିଟି କେଶ (ନଂ. ୯୮୩/୦୫) ମୂଳେ ବିଚାର ଚାଲୁ ରହିଥିଲା । ସମସ୍ତ କାଗଜପତ୍ର, ସାକ୍ଷ୍ୟ, ପ୍ରମାଣକୁ ନେଇ ବିଚାର କରି ମାନ୍ୟବର ବିଚାରପତି ଆସାମୀ ମାନଙ୍କୁ ଦଫା ୩୪୨ରେ ଦଣ୍ଡମୁକ୍ତ କରିଥିବା ବେଳେ ଦଫା ୨୯୪ ପାଇଁ ୧ହଜାର ଟଙ୍କା, ଦଫା ୩୪୧ ପାଇଁ ୫ଶହ ଟଙ୍କା ଓ ଦଫା ୩୨୩ ପାଇଁ ୧ହଜାର ଟଙ୍କା କରି ପ୍ରତ୍ୟେକ ଆସାମୀଙ୍କୁ ମୋଟ ୨୫ ଶହ ଲେଖାଏଁ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଜେଲ ଦଣ୍ଡ ଭୋଗିବେ ବୋଲି ରାୟରେ ପ୍ରକାଶ ହୋଇଛି । ରାୟ ପ୍ରକାଶ ପରେ ଆସାମୀମାନେ ସମସ୍ତ ଅର୍ଥ ଦଣ୍ଡ ଜମାକରି ମୁକ୍ତ ହୋଇଛନ୍ତି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଜିତେନ୍ଦ୍ର ଉପାଧ୍ୟାୟ, ପ୍ରଣବ ରଞ୍ଜନ ମିଶ୍ର ଓ ଅସିତ ରଞ୍ଜନ ନାୟକ କେଶ ପରିଚାଳନା କରୁଥିଲେ ।
