ନକଲି ଔଷଧ କାରବାର ମାମଲାରେ ୪ ଗିରଫ
କଟକ : କଟକର ନକଲି ଔଷଧ କାରବାର ମାମଲାରେ ପୁରୀଘାଟ ଥାନାରେ ୨ ଅଭିଯୁକ୍ତ ଆତ୍ମ ସମର୍ପଣ କରିବା ପରେ ପୋଲିସ ସେହି ଦୁହିଁଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରି ତନାଘନା ତଦନ୍ତ ଜାରି ରଖିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭିଆର ଡ୍ରଗ୍ ଏଜେନ୍ସି ଜାଉଁଳିଆପଟିର ବର୍ଷା କ୍ୟାଲ୍ ଓ ରାହୁଲ କୁମାର କ୍ୟାଲ ଏବଂ ପୂଜା ଡ୍ରଗ୍ ଏଜେନ୍ସିର ସଂଜୟ କୁମାର ଜଲାନ ଓ ଚଂଚଳ ଜଲାନ । କଟକରେ ନକଲି ଔଷଧ କାରବାର ହେଉଥିବା ସଂପର୍କରେ ଖବର ପାଇ କଟକ ପୋଲିସ ତନାଘନା ଚଢଉ କରିବା ପରେ ଡ୍ରଗ୍ସ ଇନ୍ସପେକ୍ଟର ତୁଷାର ରଂଜନ ପାଣିଗ୍ରାହୀଙ୍କ ପକ୍ଷରୁ ପୁରୀଘାଟ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ଜୋରଦାର୍ ଚଢଉ କରିଥିଲା । କଟକ ଔଷଧ ବଜାରରେ ରକ୍ତଚାପ ଔଷଧ ଟେଲମା-୪୦ ଓ ଟେଲମା-ଏଏମ୍ ନକଲି ଔଷଧ ପ୍ରବଳ ମାତ୍ରାରେ ବିକ୍ରି ହେଉଥିବାର ଖବର ଜଣାପଡିବା ପରେ କଟକ ପୋଲିସ ସଜାଗ ହୋଇ ଚଢଉ କରିଥିଲା । ଏହି ନକଲି ଔଷଧ କାରବାର ସଂପର୍କରେ ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ ମଧ୍ୟ କଠୋର ପଦକ୍ଷେପ ଗ୍ରହଣ କରି ଏହି ମେଡିସିନ ହୋଲସେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଉଭୟ ବ୍ୟବସାୟୀଙ୍କ ସଦସ୍ୟତା ମଧ୍ୟ ରଦ୍ଦ କରାଯାଇଛି ବୋଲି କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ ସଭାପତି ଭାଗବତ ସାହୁ ସ୍ପଷ୍ଟ କରିଛନ୍ତି । ଅପରପକ୍ଷରେ ପୋଲିସ ମଧ୍ୟ ଚଢଉ ଜୋରଦାର କରି ପର୍ଯ୍ୟାପ୍ତ ପରିମାଣର ଏହି ନକଲି ଔଷଧ ଜବତ କରିଛି । ନକଲି ଔଷଧ କାରବାର ମାମଲାରେ ପୋଲିସ ଅଭିଯୁକ୍ତମାନଙ୍କୁ ଭଲ ରକମ ଜେରା କରିବା ସହ ଆବଶ୍ୟକ ପଡିଲେ ଏହି ଦୁଇ ସଂସ୍ଥାର ଅଫିସ୍ ମଧ୍ୟ ସିଲ୍ କରାଯାଇପାରେ ବୋଲି କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଅପରପକ୍ଷରେ ଏତେ ପରିମାଣର ନକଲି ଔଷଧ ବଜାରକୁ କେମିତି ଆସିଲା ଏବଂ ସେସବୁ କଟକ ସମେତ ରାଜ୍ୟର ଅନ୍ୟ କେଉଁ କେଉଁ ଜାଗାରେ କାରବାର ହେଉଛି ତା’ର ଚେର ଖୋଜିବାକୁ ଆରମ୍ଭ କରିଛି କଟକ ପୋଲିସ । ଅତି ଆବଶ୍ୟକ ହେଲେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗୟା ଓ ବାଙ୍ଗାଲୁରୁ ଯାଇପାରେ ବୋଲି ସୂଚନା ମିଳିଛି । କଟକରେ ଜବତ ହୋଇଥିବା ଟେଲମା-୪୦ ଏବଂ ଟେଲମା-ଏଏସମ୍ ଔଷଧ ବିପୁଳ ପରିମାଣର ନକଲି ବୋଲି ଜଣାପଡିବା ପରେ ଡ୍ରଗ୍ସ କଣ୍ଟ୍ରୋଲର ଅଫିସ୍ ଅଧିକାରୀମାନେ ମଧ୍ୟ ବଳିଷ୍ଠ ପ୍ରମାଣ ସଂଗ୍ରହ କରିଚାଲିଛନ୍ତି । ଏଥିରେ ସଂପୃକ୍ତ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଟକ ଔଷଧ ବିକ୍ରେତା ସଂଘ ପକ୍ଷରୁ ଦାବି କରାଯାଇଛି । ଡାକ୍ତରମାନଙ୍କ ମତରେ ଏହି ନକଲି ଔଷଧ ଖାଇଲେ କିଡନୀ ଓ ହାର୍ଟ ସମସ୍ୟା ଦେଖାଦେବାର ଅଧିକ ଆଶଙ୍କା ରହିଛି ।
