ଏସିଆ କପ-୨୦୨୨ : ହଂକଂ ହାରିଲେ ରେକର୍ଡ କରିବେ ରୋହିତ
ଦୁବାଇ : ଏସିଆ କପ-୨୦୨୨ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚରେ ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୫ ଓ୍ଵିକେଟରେ ମାତ୍ ଦେଇଛି। ଆଜି ଭାରତ ଓ ହଂକଂ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ଏହି ମୁକାବିଲା ଜିତି ସୁପର ୪ରେ ପ୍ରବେଶ କରିବାକୁ ଚାହିଁବ ରୋହିତ ବାହିନୀ । ତେବେ ଏହି ମୁକାବିଲାରେ ସମସ୍ତଙ୍କ ନଜର ରୋହିତ ଶର୍ମାଙ୍କ ଉପରେ ରହିବ ।
ପାକିସ୍ତାନ ବିପକ୍ଷରେ ବିଜୟ ପରେ ରୋହିତ ଅଧିନାୟକ ଭାବେ ଏସିଆ କପରେ ନିଜର ୬ଷ୍ଠ ବିଜୟ ହାସଲ କରିଛନ୍ତି । ଏହାପୂର୍ବରୁ ରୋହିତଙ୍କ ବ୍ୟତୀତ ମହେନ୍ଦ୍ର ସିଂ ଧୋନୀ ଓ ମୋଇନ୍ ଖାନ ଅଧିନାୟକ ଭାବେ ଲଗାତର ୬ଟି ମ୍ୟାଚ୍ ଜିତିଥିଲେ । ଯଦି ଭାରତ ହଂକଂକୁ ପରାସ୍ତ କରିଦିଏ ତେବେ ରୋହିତ ଧୋନୀ ଓ ମୋଇନ୍ ଖାନଙ୍କୁ ପଛରେ ପକାଇଦେବେ । ଗତ୨୦୧୮ ଏସିଆ କପରେ ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଲଗାତର ୫ଟି ମ୍ୟାଚ୍ ଜିତିଥିଲା । କେବଳ ଆଫଗାନିସ୍ତାନ ବିପକ୍ଷ ମୁକାବିଲା ଟାଇ ହୋଇଥିଲା । ଏହି ମ୍ୟାଚରେ ଧୋନୀ ନେତୃତ୍ୱ ନେଇଥିଲେ । ଶେଷରେ ଫାଇନାଲରେ ଦଳ ବାଂଲାଦେଶକୁ ହରାଇ ଟାଇଟଲ୍ ହାତେଇଥିଲା ।
ଅନ୍ୟପକ୍ଷରେ ରୋହିତ ଶର୍ମା ବର୍ତ୍ତମାନ ସୁଦ୍ଧା ୩୬ଟି ଟି-୨୦ ଅନ୍ତର୍ଜାତୀୟ ମୁକାବିଲାରେ ଦଳର ନେତୃତ୍ୱ ନେଇଛନ୍ତି । ଏହାମଧ୍ୟରୁ ଭାରତ ୩୦ଟି ମ୍ୟାଚ୍ ଜିତିଛି । ହଂକଂ ବିପକ୍ଷରେ ଦଳ ବିଜୟ ହାସଲ କଲେ ରୋହିତ ୩୧ଟି ଟି-୨୦ ଜିତାଇବାରେ ସଫଳ ହେବେ । ଏହାସହ ସେ ବିରାଟ କୋହଲିଙ୍କୁ ପଛରେ ପକାଇ ଦ୍ୱିତୀୟ ସଫଳ ଅଧିନାୟକ ହୋଇପାରିବେ । ବିରାଟ ୫୦ଟି ଟି-୨୦ରେ ଦଳର ନେତୃତ୍ୱ ନେଇଛନ୍ତି । ଏହାମଧ୍ୟରୁ ଭାରତ ୩୦ଟିରେ ବିଜୟ ହାସଲ କରିଛି । ତେବେ ମହେନ୍ଦ୍ର ସିଂ ଧୋନୀ ୭୨ଟି ଟି-୨୦ରେ ଦଳର ନେତୃତ୍ୱ ନେଇଥିବା ବେଳେ ଦଳ ୪୧ରେ ମୁକାବିଲା ଜିତିଥିଲେ ।
