ଇଦଗା ପଡ଼ିଆରେ ହେବନି ଗଣେଶ ପୂଜା
ନୂଆଦିଲ୍ଲୀ: ବେଙ୍ଗାଲୁରୁର ଇଦଗା ପଡ଼ିଆରେ ହେବନି ଗଣେଶ ପୂଜା। ପୂର୍ବଭଳି ଏଠାରେ ସ୍ଥିତାବସ୍ଥା ବଜୟୀ ରଖିବା ପାଇଁ ସୁପ୍ରିମକୋର୍ଟ ଜରୁରିକାଳୀନ ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି। କର୍ଣ୍ଣାଟକା ସରକାର ଓ ହାଇକୋର୍ଟ ଏହି ବିବାଦୀୟ ଅଞ୍ଚଳରେ ଗଣେଶ ମହୋତ୍ସବ ପାଳନ କରିବାକୁ ଅନୁମତି ଦେଇଥିଲେ।
ଏହାକୁ ବିରୋଧ କରି କର୍ଣ୍ଣାଟକା ୱାକଫ ବୋର୍ଡ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ଏହାର ଶୁଣାଣି ସୁପ୍ରିମକୋର୍ଟ ପ୍ରାୟ ୨ ଘଣ୍ଟା ଧରି କରିଥିଲେ। ଏହାପରେ କୋର୍ଟ ଗଣେଶ ମହୋତ୍ସବ ଉପରେ ରୋକ ଲଗାଇ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠରେ ଥିବା ଜଷ୍ଟିସ ଇନ୍ଦିରା ବାନାର୍ଜୀ କହିଛନ୍ତି, “ଭଗବାନ ଗଣେଶ ଆମକୁ କ୍ଷମା କରନ୍ତୁ। ଇଦଗା ମୈଦାନରେ ଗଣେଶ ମହୋତ୍ସବକୁ ଅନୁମତି ଦିଆଯାଇ ପାରିବ ନାହିଁ। ଏଠାରେ ସବୁ ଧର୍ମର ଲୋକ ସ୍ଥିତାବସ୍ଥା ବଜାୟୀ ରଖିବେ।”
ସରକାର ଇଦଗା ମୈଦାନାରେ ଗଣେଶ ପୂଜା କରିବାକୁ ଅନୁମତି ଦେଇଥିବାରୁ ଏହାକୁ ୱାକଫ ବୋର୍ଡର ଓକିଲ କପିଲ ଶିବଲ ସୁପ୍ରିମକୋର୍ଟରେ ବିରୋଧ କରିଥିଲେ। ସେ କହିଥିଲେ, ୨୦୦ ବର୍ଷ ହେଲାଣି ଏହି ସମ୍ପତ୍ତି ଆମ ପାଖରେ ରହିଛି। କୌଣସି ଅନ୍ୟ ଧର୍ମର ଲୋକ ଏଠାରେ କିଛି ବି ଧାର୍ମିକ କାର୍ଯ୍ୟକ୍ରମ କରି ନାହାନ୍ତି। ସୁପ୍ରିମକୋର୍ଟ ପୂର୍ବରୁ ମଧ୍ୟ ୱାକଫ ବୋର୍ଡ ସପକ୍ଷରେ ରାୟ ଦେଇଥିଲେ। ଏହାକୁ କେବେ ହେଲେ କେହି ଚ୍ୟାଲେଞ୍ଜ କରି ନଥିଲେ। କିନ୍ତୁ ୨୦୨୨ରେ ଏହାକୁ ବିବାଦୀୟ ଅଞ୍ଚଳ ବୋଲି କୁହାଯାଉଛି।
