ନିଯୁକ୍ତି ପାଇଲେ ୨୭୪ ଅଧ୍ୟାପକ ; ପୁସ୍ତକ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସୀମିତ ନରଖିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଗୁଣାତ୍ମକ ଶିକ୍ଷାର ରୂପାନ୍ତରଣ ପାଇଁ ରାଜ୍ୟସରକାର ନିରନ୍ତର ପ୍ରୟାସ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରି କଲେଜରେ ୨୭୪ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ମିଳିଛି । ଇଂରାଜୀରେ ୧୫୬, ରାଜନୀତି ବିଜ୍ଞାନ ୧୧୭ ଏବଂ ଗଣିତରେ ଜଣେ ନିଯୁକ୍ତି ପାଇଛନ୍ତି। ଲୋକସେବା ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ନବ ନିଯୁକ୍ତ ଅଧ୍ୟାପକଙ୍କୁ ଦିଗ୍ଦର୍ଶନ ଦେଇଥିଲେ। ସମାଜର ପରିବର୍ତ୍ତନ ପାଇଁ ଓଡ଼ିଶାକୁ ଦାୟିତ୍ୱବାନ ଯୁବବର୍ଗ ଆବଶ୍ୟକ । କେବଳ ପୁସ୍ତକ ପାଠ୍ୟକ୍ରମ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ସୀମିତ ନରଖିବାକୁ ଅପିଲ କରିବା ସହ ସାମାଜିକ-ରାଜନୈତିକ ପ୍ରସଙ୍ଗ ନେଇ ପିଲାଙ୍କୁ ବୁଝାଇବାକୁ ଆହ୍ବାନ ଦେଇଥିଲେ ।
କଲେଜ ଶିକ୍ଷା କ୍ଷେତ୍ରରେ ଅଧ୍ୟାପକଙ୍କ ବଡ଼ ଭୂମିକା ରହିଥିବା କହିଛନ୍ତି ନବୀନ । ଇଂରାଜୀ ଜ୍ଞାନ ଥିଲେ ଆନ୍ତର୍ଜାତିକ ପ୍ରସଙ୍ଗ ବୁଝିପାରିବେ ପିଲା । ଏନେଇ ଇଂରାଜୀ ଭାଷା ଶିକ୍ଷାରେ ଗୁଣବତ୍ତାକୁ ଗୁରୁତ୍ୱ ଦିଆଯାଇଛି । ଏହା ଦ୍ୱାରା ବିଶ୍ୱରେ ଆମ ଅର୍ଥନୀତିର ଅଭିବୃଦ୍ଧି ହୋଇପାରିବ । ଉଚ୍ଚଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ଓଡ଼ିଶା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।
