ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ନିଶା ନିବାରଣ ବିଷୟକ କର୍ମଶାଳା
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ୟୁନିଟ୍ ଓ ଯୁବ ବିକାଶ ଫାଉଣ୍ଡେସନ୍ର ମିଳିତ ଆନୁକୂଲ୍ୟରେ ନିଶା ନିବାରଣ, ମାନସିକ ସୁସ୍ଥତା ଓ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଭୂମିକା ସମ୍ପର୍କିତ ସଚେତନତା ପ୍ରାସଙ୍ଗିକ ଏକଦିବସୀୟ ସମ୍ବେଦୀକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଶାସେବନ ଭିତ୍ତିକ ଯେକୌଣସି ଆତ୍ମହତ୍ୟା ସାମାଜିକ ବ୍ୟବସ୍ଥାର ବିଫଳତାକୁ ଦର୍ଶାଇଥାଏ ବୋଲି ଯୁବ ବିକାଶ ଫାଉଣ୍ଡେସନ୍ର ଏକଜିକ୍ୟୁଟିଭ ଡିରେକ୍ଟର ଗୋବିନ୍ଦ ଦୋଳାଇ ନିଜର ସ୍ୱାଗତ ଭାଷଣରେ ପ୍ରକାଶ କରିଥିଲେ ।
ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ ନିଶା ସେବନକୁ ପ୍ରଶ୍ରୟ ଦେବା ଓ ତାକୁ ସହ୍ୟ କରିବା ଆଦୌ ସ୍ପୃହଣୀୟ ନୁହେଁ ବୋଲି ପ୍ରକାଶ କରିଥିଲେ । ଭାରତବର୍ଷ ପରି ଏକ ଯୁବଗୋଷ୍ଠୀ ବହୁଳ ରାଷ୍ଟ୍ରରେ ଯୁବଗୋଷ୍ଠୀ ନିଶାସକ୍ତ ହୋଇ ରାଷ୍ଟ୍ରୀୟ ଅସ୍ମିତାକୁ ବିପନ୍ନ କରିବାରେ ଲାଗିଛନ୍ତି ଏହା ଅତ୍ୟନ୍ତ ଚିନ୍ତାର ବିଷୟ । ଜାତୀୟ ଅସ୍ମିତା ଠାରୁ ଉର୍ଦ୍ଧ୍ୱରେ ଅନ୍ୟ କୌଣସି ସ୍ୱାର୍ଥ ବଡ଼ ହୋଇପାରେ ନା ତେଣୁ ଏକ ନିଶାମୁକ୍ତ ରାଷ୍ଟ୍ର ଗଠନ ଆମ ସମସ୍ତଙ୍କର ଗୁରୁ ଦାୟିତ୍ୱ ହେବା ଏକାନ୍ତ ଆବଶ୍ୟକ ବୋଲି ବାଲେଶ୍ୱର ଜିଲାର ପୂର୍ବତନ ଏସ୍ପି ସନ୍ତୋଷ ନାୟକ କହିବା ସହିତ ନିଶାଗ୍ରସ୍ତ ହୋଇ ମୃତ୍ୟୁ ବରଣ କରୁଥିବା ଯୁବକଙ୍କ ସଂଖ୍ୟା ୧୦ଟା କାରଗିଲ୍ ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟାଠାରୁ ମଧ୍ୟ ଅଧିକ ହୋଇଯିବ ବୋଲି ମତ ଦେଇଥିଲେ । ଯୁବ ବିକାଶ ଫାଉଣ୍ଡେସନ୍ର ସଦସ୍ୟ ବିକ୍ରମ କେଶରୀ ଦାସ ନିଶାଗ୍ରସ୍ତ ବ୍ୟକ୍ତି କେବଳ ନିଜେ କ୍ଷତିଗ୍ରସ୍ତ ହୁଏ ନାହିଁ ବରଂ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ସମାଜର ଓ ସାମାଜିକ ମୂଲ୍ୟବୋଧର ହତ୍ୟା କରିଥାଏ ବୋଲି ମତ ଦେଇଥିଲେ । ଏନ୍ଏସ୍ଏସ୍ ଆୱାର୍ଡ଼ି ଏବଂ ଏନ୍ଆଇଏସ୍ଡି ନୂଆଦିଲ୍ଲୀର ଡି-ଏଡିକ୍ସନ୍ ପ୍ରଶିକ୍ଷକ ମହମ୍ମଦ ଇମରାନ୍ ଅଲ୍ଲି ଛୋଟଛୋଟ ପିଲାମାନେ କିପରି ନିଶାଗ୍ରସ୍ତ ହେଉଛନ୍ତି ଏବଂ କାଉନସିଲ୍ ସମୟରେ ଅଭିଭାବକବୃନ୍ଦ କିପରି ଏମାନେ ନିଶାଗ୍ରସ୍ତ ହେଲେ ଆମେ ଜାଣିପାରିଲୁ ନାହିଁ ବୋଲି କହୁଛନ୍ତି ତାହା ସମୟହୀନ ସଭ୍ୟତାର ପରିଚୟ ଦେବା ସହିତ ଏକ ବିକ୍ଷିପ୍ତ ପାରିବାରିକ ଜୀବନକୁ ଅଭିବ୍ୟଞ୍ଜିତ କରୁଛି ବୋଲି ନିଜ ଅନୁଭୂତି ପ୍ରକାଶ କରିଥିଲେ । ଏହି କ୍ରମରେ ବାଲେଶ୍ୱରସାହିତ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଥିଲା ସମ୍ପ୍ରତି ଏହା ନିଶା ପାଇଁ ପରିଚିତ ହେବାରେ ଲାଗିଲାଣି ଏହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ମଧ୍ୟ ସେ କ୍ଷୋଭ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ ନିଶାସେବନ ଏକ ସାମାଜିକ ବ୍ୟାଧି ଏବଂ ଏ ବିଷୟକୁ ଅତି ଗମ୍ଭୀରତାର ସହିତ ବିଚାରକୁ ନେବା ଏକାନ୍ତ ଆବଶ୍ୟକ ନଚେତ୍ ଏକ ସମୃଦ୍ଧ ରାଷ୍ଟ୍ରର ପରିକଳ୍ପନା କଦାପି ସମ୍ଭବ ହୋଇ ପାରିବ ନାହିଁ ବୋଲି ପ୍ରକାଶ କରିଥିଲେ । ଶେଷରେ ଏନ୍ଏସ୍ଏସ୍ ୟୁନିଟ୍ର ସଂଯୋଜକ ଡ. ଅମୂଲ୍ୟ କୁମାର ଆଚାର୍ଯ୍ୟ ଆନୁଷ୍ଠାନିକ ଭାବରେ ଉଦ୍ଘାଟନୀ ଉତ୍ସବରେ ଧନ୍ୟବାଦ ଅର୍ପଣ କରିବା ସହିତ ନିଷ୍କର୍ଷ ନିରୂପଣ କରିଥିଲେ ।
ଏହାର ଦ୍ୱିତୀୟ ଓ ତୃତୀୟ ଅଧିବେଶନରେ ବିଷୟ ବିଶାରଦୀବୃନ୍ଦ ଯୋଗଦେଇ ନିଶାନିବାରଣ ସମ୍ପର୍କରେ ଅନୁସନ୍ଧାନ ମୂଳକ ତଥ୍ୟ ପରିବେଷଣ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଇନ୍ସପେକ୍ଟର ପ୍ରଜ୍ଞା ମହାନ୍ତି, ଫକୀରମୋହନ ମେଡିକାଲ୍ କଲେଜର ସିନିଅର ରେସିଡେଣ୍ଟ ଡା. ମନୋଜ୍ ବାରିକ୍, ଆଇନଜୀବୀ ଅସିତ୍ କୁମାର ପ୍ରଧାନ, ସାମାଜିକ କର୍ମୀ ବିଜୟ ସେଠୀ ପ୍ରମୁଖ ଅଧିବେଶନରେ ଯୋଗଦେଇ ପ୍ରୋଜେକ୍ଟର୍ ମାଧ୍ୟମରେ ନିଜନିଜର ଗବେଷଣା ଓ ଅନୁସନ୍ଧାନ ଭିତ୍ତିକ ତଥ୍ୟ ପରିବେଷଣ କରିଥିଲେ । ଏଥିରେ “ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)” ର ସଦସ୍ୟବୃନ୍ଦ ମଧ୍ୟ ଏଥିରେ ସହଭାଗୀତା କରି ମଦମୁକ୍ତ ଓଡି଼ଶା ଗଠନରେ ସଂକଳ୍ପବଦ୍ଧ ହେବାର ଆହ୍ୱାନ ଦେଇଥିଲା ।
