ସାଫ୍ ୨୦ ବର୍ଷରୁ କମ୍ ଫୁଟ୍ବଲ୍ : ଫାଇନାଲ୍ରେ ଭାରତ-ବାଂଲାଦେଶ ମୁକାବିଲା
ଭୁବନେଶ୍ବର : ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ସାଫ୍ ୨୦ ବର୍ଷରୁ କମ୍ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ରେ ଆୟୋଜକ ଭାରତ ଓ ପଡ଼ୋଶୀ ବାଂଲାଦେଶ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ଆସନ୍ତା ଶୁକ୍ରବାର ଖେଳାଯିବ।
ବାଂଲାଦେଶ ୧୦ ପଏଣ୍ଟ ପାଇ ଏହି ୫ ଦଳୀୟ ପ୍ରତିଯୋଗିତାର ପ୍ରଥମ ସ୍ଥାନ ସହ ଫାଇନାଲ୍କୁ ଯାଇଥିବା ବେଳେ ଭାରତ ୯ ପଏଣ୍ଟ୍ ସହ ଦ୍ବିତୀୟ ସ୍ଥାନରେ ରହି ଫାଇନାଲ୍ ଟିକେଟ ହାସଲ କରିଛି। ଏଥରର ଫାଇନାଲ୍ ମଧ୍ୟ ଗତ ଫାଇନାଲ୍ର ପୁନରାବୃତ୍ତି ହେବ। କାରଣ ୨୦୧୯ରେ ଖେଳାଯାଇଥିବା ଏହି ପ୍ରତିଯୋଗିତାର ଗତ ସଂସ୍କରଣରେ ବାଂଲାଦେଶକୁ ହରାଇ ହିଁ ଭାରତ ବିଜେତା ହୋଇଥିଲା।
ସୂଚନା ଯେ, ମଙ୍ଗଳବାର ଖେଳାଯାଇଥିବା ଶେଷ ଦୁଇ ଲିଗ୍ ମ୍ୟାଚ୍ରୁ ବାଂଲାଦେଶ-ନେପାଳ ମୁକାବିଲା ୧-୧ ଗୋଲ୍ରେ ଅମୀମାଂସିତ ରହିଥିଲା। ଅନ୍ୟପକ୍ଷରେ ଭାରତ ଓ ମାଳଦୀପ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଭାରତ ୧-୦ ଗୋଲ୍ରେ ବିଜୟୀ ହୋଇଥିଲା। ଏହି ଗୋଲ୍ଟିକୁ ଗୁରକିରଟ ସିଂହ ୮୯ ମିନିଟ୍ରେ ଦେଇଥିଲେ।
