ଆଜି ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଟି-୨୦, ସାମସନ ସାମିଲ୍
ନୂଆଦିଲ୍ଲୀ: ଆଜିଠୁ ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଶୁକ୍ରବାର ସନ୍ଧ୍ୟା ୮ଟା ସମୟରେ ତ୍ରିନିଦାଦ ସ୍ଥିତ ବ୍ରାଏନ ଲାର ଷ୍ଟାଡିଅମରେ ଖେଳାଯିବ । କୋଭିଡ୍-୧୯ ପଜିଟିଭ୍ କାରଣରୁ କେଏଲ ରାହୁଲ ସିରିଜରୁ ବାଦ୍ ପଡିଛନ୍ତି। ତାଙ୍କୁ ଏହି ସିରିଜ୍ ପାଇଁ ଚୟନ କରାଯାଇଥିଲା। ସେ ବାଦ ପଡିବାରୁ ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ୍ କରାଯାଇଛି । ସାମସନ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଦଳରେ ସାମିଲ୍ ଥିଲେ। ଟି-୨୦ ସିରିଜ୍ ପୂର୍ବରୁ ସେ ଭାରତୀୟ ଦଳ ସହିତ ଅଭ୍ୟାସ୍ ମଧ୍ୟ କରିଥିଲେ । ତେବେ ଏଠାରେ ସବୁଠୁ ବଡ ପ୍ରଶ୍ନ ଯେ, ଅଧିନାୟକ ରୋହିତ ଶର୍ମାଙ୍କ ସହ ଓପନିଂ କିଏ କରିବେ ?
ଟି-୨୦ ବିଶ୍ଵ କପକୁ ଆଉ ତିନି ମାସରୁ କମ ସମୟ ଥିବା ବେଳେ ଏହି ସିରିଜ୍ ଜରିଆରେ ଭାରତୀୟ ଦଳ ପ୍ରବନ୍ଧକ ନିଜର କୋର ଟିମ୍ ଚୟନ କରି ପାରିବେ। ରୋହିତ, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦିନେଶ କାର୍ତ୍ତିକଙ୍କ ପରି ପାଞ୍ଚ ବିଶେଷଜ୍ଞ ବ୍ୟାଟସମ୍ୟାନ ଦଳର ବ୍ୟାଟିଂ କ୍ରମ ସମ୍ଭାଳିବେ। ତେବେ ରୋହିତ ଶର୍ମାଙ୍କ ସହ କିଏ ଓପନିଂ କରିବ। ଏଥିପାଇଁ ଦଳ ସାମ୍ନାରେ ଦୁଇଟି ବିକଳ୍ପ ଇଶାନ କିଷନ ଏବଂ ଋଷଭ ପନ୍ତଙ୍କ ରୂପେ ରହିଛି। ଇଂଲଣ୍ଡ ଗସ୍ତରେ ପନ୍ତଙ୍କୁ ଇନିଂସ ଓପନ କରିବାରେ ସୁଯୋଗ ମିଳିଥିଲା। ହେଲେ ଏଥିରେ ସେ ସେତେଟା ସଫଳ ହୋଇ ପାରିନଥିଲେ। ତଥାପି ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ତାଙ୍କୁ ପୁଣି ଥରେ ସୁଯୋଗ ଦେଇ ପାରନ୍ତି ଦଳ ପ୍ରବନ୍ଧକ।ଅନ୍ୟପଟେ ଇଶାନ କିଷନ ଜଣେ ବିସ୍ଫୋରକ ବ୍ୟାଟସମ୍ୟାନ ଏବଂ ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତ ଶର୍ମାଙ୍କ ସହିତ ଲମ୍ବା ସମୟ ଓପନର ବ୍ୟାଟସମ୍ୟାନ ଭାବେ ଖେଳିଛନ୍ତି। ଉଭୟଙ୍କ ମଧ୍ୟରେ ତାଳମେଳ ମଧ୍ୟ ଭଲ ରହିଛି। ଇଶାନ ଭାରତ ପାଇଁ ୧୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏଥିରୁ ସେ ୧୬ଟି ମ୍ୟାଚରେ ଦଳ ପାଇଁ ଓପନିଂ କରିଛନ୍ତି ଏବଂ ୩୧.୭୫ ହାରରେ ୧୩୪.୩୯ ଷ୍ଟ୍ରାଇକ ରେଟରେ ୫୦୮ ରନ କରିଛନ୍ତି। ତେଣୁ ଇନିଂସ ଓପନିଂ ପାଇଁ ଇଶାନ କିଷନ ସବୁଠୁ ଭଲ ବିକଳ୍ପ ରହିଛନ୍ତି।
