ଦ୍ଵିତୀୟ ଦିନିକିଆ : ଚହଲଙ୍କୁ ୪ ୱିକେଟ, ୨୪୬ ରନରେ ଇଂଲଣ୍ଡ ଅଲଆଉଟ୍
ଲର୍ଡସ: ଐତିହାସିକ ଲର୍ଡସରେ ଖେଳା ଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଚମକିଛନ୍ତି ୟୁଜବେନ୍ଦର ଚହଲ। ଭଲ ଆରମ୍ଭ ସତ୍ତ୍ୱେ ଚହଲଙ୍କ ଘାତକ ବୋଲିଂ ଯୋଗୁ ଘରୋଇ ଇଂଲଣ୍ଡ ୪୯ ଓଭର୍ରେ ସମସ୍ତ ୱିକେଟ ହରାଇ ୨୪୬ ରନ କରିଛି। ଫଳରେ ଭାରତକୁ ମ୍ୟାଚ୍ ସହ ସରିଜ ଜିତିବାକୁ ୨୪୭ ରନର ଟାର୍ଗେଟ ମିଳିଛି। ଚହଲ ୪ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମ୍ରାଙ୍କ ୨ଟି ଲେଖାଏ ସଫଳତା ମିଳିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡର ଦୁଇ ଓପନର ଜୋନି ବେୟାରଷ୍ଟୋ ଏବଂ ଜାସନ ରୟ ୪୧ ରନ ଯୋଡିଥିଲେ। ଜାସନ ରୟ(୨୩)ଙ୍କୁ ଆଉଟ୍ କରି ହାର୍ଦ୍ଦିକ ପାଣ୍ଡ୍ୟା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଦଳ ୧୦୨ ରନରେ ଅଧା ଓ୍ଵିକେଟ୍ ହରାଇଥିଲା। ଭଲ ଆରମ୍ଭ କରିଥିବା ଜୋନି ବେୟାରଷ୍ଟୋ ୬ ଚୌକା ସହ ୩୮ ରନ କରି ଆଉଟ୍ ହୋଇଥିଲେ। ସେ ଚହଲଙ୍କ ବଲରେ ବୋଲ୍ଡ ହୋଇଥିଲେ। ଜୋ ରୁଟ୍(୧୧ରନ) ପୁଣି ଦଳକୁ ନିରାଶ କରିଥିଲେ। ଜୋସ୍ ବଟଲର(୪ ରନ) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ବେନ ଷ୍ଟୋକ୍ସ(୨୧ ରନ) ଭଲ ଆରମ୍ଭ କରିଥିଲେ ହେଁ ଚହଲଙ୍କ ତୃତୀୟ ଶିକାର ହୋଇଥିଲେ। ଏହା ପରେ ମୋଇଲ ଅଲ୍ଲୀ ଏବଂ ଲିୟାମ ଲିଭିଙ୍ଗଷ୍ଟୋନ ଷଷ୍ଠ ଓ୍ଵିକେଟରେ ୪୬ ରନ ଯୋଡିଥିଲେ। ଲିଭିଙ୍ଗଷ୍ଟୋନ ୨ଟି ଚୌକା ଏବଂ ୨ଟି ଛକା ସହ ୩୩ ରନ କରିଥିଲେ। ମୋଇନ ଏବଂ ଡେଭିଡ୍ ଓ୍ଵିଲି ଭାରତୀୟ ବୋଲରଙ୍କ ମୁକାବିଲା କରି ସପ୍ତମ ଓ୍ଵିକେଟରେ ୬୨ ରନ ଯୋଡି ଦଳର ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ। ମୋଇନ ଅଲ୍ଲୀ ବଡ ସଟ୍ ଖେଳିବାକୁ ଯାଇ ଚହଲଙ୍କ ଚତୁର୍ଥ ଶିକାର ହୋଇଥିଲେ। ଶେଷ ଆଡକୁ ଡେଭିଡ୍ ଓ୍ଵିଲି ୪୧ ରନର ଉପଯୋଗୀ ଇନିଂସ ଖେଳିଥିଲେ। ରିସେ ଟୋପଲେଙ୍କୁ ବୋଲ୍ଡ କରି ବୁମରା ଇଂଲଣ୍ଡ ଇନିଂସର ଅନ୍ତ ଘଟାଇଥିଲେ। ଶେଷରେ ଇଂଲଣ୍ଡ ୪୯ ଓଭରରେ ୨୪୬ ରନରେ ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୪୭ ରନ ଦେଇ ସର୍ବାଧିକ ୪ ସଫଳତା ପାଇଛନ୍ତି। ଯଶପ୍ରୀତ ବୁମରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ମହମ୍ମଦ ଶାମି ଏବଂ ପ୍ରସିଦ୍ଧ କୃଷ୍ଣାଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।
