ପ୍ରଥମ ଦିନିକିଆ : ଇଂଲଣ୍ଡକୁ ୧୦ ୱିକେଟରେ ହରାଇଲା ଭାରତ
ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ଏବଂ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଭାରତ ସହଜ ବିଜୟ ହାସଲ କରିଛି । ଲଣ୍ଡନର କେନିଙ୍ଗଟନ ଓଭାଲରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଘରୋଇ ଇଂଲଣ୍ଡକୁ ୧୦ ୱିକେଟ୍ରେ ପରାସ୍ତ କରିଛି ରୋହିତ ବାହିନୀ । ଏହି ଦମଦାର ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା । ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୧୧୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ବିନା ୱିକେଟରେ ୧୮.୪ ଓଭରରେ ହାସଲ କରି ନେଇଛି । ଅଧିନାୟକ ରୋହିତ ଶର୍ମା ୭୬ ରନ କରିଥିବା ବେଳେ ଶିଖର ଧାୱନ ୩୧ ରନ କରିଛନ୍ତି । ବୁମରା ୧୯ ରନରେ ୬ ୱିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସିରିଜର ଦ୍ୱିତୀୟ ମ୍ୟାଚ୍ ଜୁଲାଇ ୧୪ରେ ଖେଳାଯିବ । ରୋହିତ ଏବଂ ଧାୱନ ସତର୍କତାର ସହ ବ୍ୟାଟିଂ କରି ଦଳକୁ ଦମଦାର ଆରମ୍ଭ ଦେଇଥିଲେ । ଅବିଭାଜିତ ପ୍ରଥମ ୱିକେଟରେ ୧୮.୪ ଓଭରରେ ୧୧୪ ରନ ଯୋଡିକୁ ଦଳକୁ ସହଜ ବିଜୟ ଦେଇଛନ୍ତି । ରୋହିତ ଶର୍ମା ଦିନିକିଆରେ ୪୫ତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୫୮ ବଲରୁ ୬ ଚୌକା ଏବଂ ୫ ଛକା ସହ ୭୫ ରନରେ ଅପରାଜିତ ଥିଲେ । ଧାୱନ ୪ ଚୌକା ସହ ୩୧ ରନ କରିଥିଲେ । ଇଂଲଣ୍ଡ ବୋଲର ଗୋଟିଏ ହେଲେ ସଫଳତା ହାସଲ କରି ପାରିନଥିଲେ ।
ଆରମ୍ଭରୁ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ଘରୋଇ ଦଳ ୨୫ ରନ ଭିତରେ ଅଧା ୱିକେଟ୍ ହରାଇଥିଲା । ୬ ରନ ସ୍କୋରରେ ଜାସନ ରୟ(୦) ଏବଂ ଜୋ ରୁଟ୍(୦)ଙ୍କୁ ଖାତା ଖୋଲିବାକୁ ଦେଇନଥିଲେ ଯଶପ୍ରୀତ ବୁମରା ।ପୁଣି ବେନ ଷ୍ଟୋକଙ୍କୁ ମଧ୍ୟ ଶୂନ୍ୟ ରନରେ ପାଭିଲିୟନ ପଠାଇଥିଲେ ମହମ୍ମଦ ଶାମି । ବେୟାରଷ୍ଟୋ(୭)ଙ୍କୁ ନିଜର ତୃତୀୟ ଶିକାର କରିଥିଲେ ବୁମରା । ଲିୟାମ ଲିଭିଙ୍ଗଷ୍ଟୋନକୁ ବୋଲ୍ଡ କରି ଖାତା ମଧ୍ୟ ଖୋଲିବାକୁ ଦେଇନଥିଲେ । ମୋଇନ ଅଲ୍ଲୀ କିଛି ସମୟ କ୍ରିଜରେ ରହି ୧୪ ରନ କରି ପ୍ରସିଦ୍ଧ କୃଷ୍ଣାଙ୍କୁ ୱିକେଟ୍ ଦେଇଥିଲେ । ଭଲ ବ୍ୟାଟିଂ କରିଥିଲେ ବି ଜୋସ୍ ବଟଲର ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ସେ ୩୨ ବଲରୁ ୬ ଚୌକା ସହ ୩୦ ରନ କରି ଶାମିଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । କ୍ରେଗ ଓଭରଟନ(୮)ଙ୍କୁ ଆଉଟ୍ କରି ଶାମି ଭାରତକୁ ଅଷ୍ଟମ ସଫଳତା ଦେଇଥିଲେ । ଏହା ପରେ ଡେଭିଡ୍ ୱିଲି ଏବଂ ବ୍ରିଡନ କାରସେ ନବମ ୱିକେଟରେ ୩୫ ରନ ଯୋଡିବାରୁ ଇଂଲଣ୍ଡ ୧୦୦ ରନ କରି ପାରିଛି । ବୁମରା କାରସେ(୧୫)କୁ କ୍ଲିନ ବୋଲ୍ଡ କରି ବ୍ୟକ୍ତିଗତ ପଂଚମ ସଫଳତା ହାସଲ କରିଥିଲେ । ଡେଭିଡ୍ ୱିଲି(୨୧)ଙ୍କୁ ବୋଲ୍ଡ କରି ଇଂଲଣ୍ଡ ଇନିଂସର ଅନ୍ତ ଘଟାଇଥିଲେ ବୁମରା । ଭାରତ ପକ୍ଷରୁ ବୁମରା ୭.୨ ଓଭରରେ ମାତ୍ର ୧୯ ରନ ଦେଇ ୬ ସଫଳତା ହାସଲ କରିଛନ୍ତି ।ଦିନିକିଆ କ୍ରିକେଟରେ ବୁମରାଙ୍କ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହା ପୂର୍ବରୁ ସେ ଦିନିକିଆରେ ୨୭ ରନ ଦେଇ ୫ଟି ୱିକେଟ୍ ନେଇଥିଲେ । ମହମ୍ମଦ ଶାମି ୩୧ ରନ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ପ୍ରସିଦ୍ଧ କୃଷ୍ଣା ଗୋଟିଏ ୱିକେଟ୍ ନେଇଛନ୍ତି ।
