ଏଜବାଷ୍ଟନ ଟେଷ୍ଟ : ୩ୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୨୮୪ ରନରେ ଅଲଆଉଟ, ଭାରତ ୨୫୭ ରନରେ ଅଗ୍ରଣୀ
ବର୍ମିଂହାମ : ରୋମାଞ୍ଚକର ମୋଡରେ ଏଜବାଷ୍ଟନ ଟେଷ୍ଟ । ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୪ ରନରେ ଅଲଆଉଟ୍ ହେବା ପରେ ଭାରତ ଦ୍ଵିତୀୟ ଇନିଂସରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ୍ ହରାଇ ୧୨୫ ରନ କରିଛି। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ୨୫୭ ରନରେ ଆଗୁଆ ରହିଛି। ଭାରତ ହାତରେ ୭ ଓ୍ଵିକେଟ୍ ବାକି ରହିଛି। ଚେତେଶ୍ଵର ପୂଜାରା ୫୦ ରନ ଏବଂ ପନ୍ତ ୩୦ ରନ କରି ଆପରାଜିତ ଅଛନ୍ତି। ଚତୁର୍ଥ ଦିନର ଖେଳ ବହୁତ ରୋମାଞ୍ଚକର ହେବାକୁ ଯାଉଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୪ ରନରେ ଅଲଆଉଟ୍ ହୋଇଥିବା ବେଳେ ଭାରତ ପ୍ରଥମ ଇନିଂସରେ ୪୧୬ ରନ କରିଥିଲା।
ଭାରତ ଦ୍ଵିତୀୟ ଇନିଂସ ଆରମ୍ଭ କରି ୪ ରନରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଶୁଭମାନ ଗିଲ୍ ୪ ରନରେ ବିଦାୟ ନେଇଥିଲେ। ଚେତେଶ୍ଵର ପୂଜାରା ଏବଂ ହନୁମା ବିହାରୀ ଦ୍ଵିତୀୟ ଓ୍ଵିକେଟରେ ୩୯ ରନ ଯୋଡିଥିଲେ। ହନୁମା ବିହାରୀ ୧୧ ରନ କରି ପାଭିଲିୟନ ଫେରିଥିଲେ। ବିରାଟ କୋହଲି ପୁଣି ଥରେ ନିରାଶ କରିଥିଲେ। ସେ ୨୦ ରନ କରି ପାଭିଲିୟନ ଫେରିଥିଲେ। ୭୫ ରନରେ ୩ ଓ୍ଵିକେଟ୍ ହରାଇବା ପରେ ପୂଜାରା ଏବଂ ପନ୍ତ ଭାରତକୁ ଆଉ କୌଣସି କ୍ଷତି ଘଟାଇବାକୁ ଦେଇନଥିଲେ। ଦୁଇ ବ୍ୟାଟସମ୍ୟାନ ଅଦ୍ୟାବଧି ଚତୁର୍ଥ ଓ୍ଵିକେଟରେ ୫୦ ରନ ଯୋଡିଛନ୍ତି। ଚେତେଶ୍ଵର ପୂଜାରା ୫୦ ରନ ଏବଂ ପନ୍ତ ୩୦ ରନ କରି ଆପରାଜିତ ଅଛନ୍ତି।
ରବିବାର ଇଂଲଣ୍ଡ ଦ୍ଵିତୀୟ ଦିନର ଖେଳ ୮୪/୫ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଜୋନି ବେୟାରଷ୍ଟୋ ୧୨ ଏବଂ ଅଧିନାୟକ ବେନ ଷ୍ଟୋକ୍ସ ୦ ରନର କରି ଅପରାଜିତ ଥିଲେ। ପ୍ରଥମ ସେସନରେ ଦ୍ରୁତ ବ୍ୟାଟିଂ କରିଥିଲେ ବେୟାରଷ୍ଟୋ। ବେୟାରଷ୍ଟୋ ଅଧିନାୟକ ବେନ ଷ୍ଟୋନଙ୍କ ସହ ମିଶି ଷଷ୍ଠ ଓ୍ଵିକେଟ୍ ପାଇଁ ୬୬ ରନ ଯୋଡିଥିଲେ। ବେନ ଷ୍ଟୋକ୍ସ ୨୫ ରନ କରି ଶାର୍ଦ୍ଦୁଳ ଠାକୁରଙ୍କ ବଲରେ ଆଉଟ୍ ହୋଇଥିଲେ। ବେୟାରଷ୍ଟୋ ନ୍ୟୁଜିଲାଣ୍ଡ ସିରିଜର ଫର୍ମକୁ ଜାରି ରଖି ୧୧ତମ ଟେଷ୍ଟ ଶତକ ପୂରଣ କରିଥିଲେ। ଶାମି ବେୟାରଷ୍ଟୋଙ୍କୁ ଆଉଟ୍ କରି ଭାରତକୁ ସପ୍ତମ ସଫଳତା ଦେଇଥିଲେ। ସେ ୧୪୦ ବଲରୁ ୧୪ ଚୌକା ଏବଂ ୨ ଛକା ସହ ୧୦୬ ରନ କରିଥିଲେ। ଶେଷ ଆଡକୁ ସାମ ବିଲିଙ୍ଗ୍ସ ୩୬ ରନ କରିଥିଲେ। ମାଟି ପୋଟ୍ସ ୧୯ ଏବଂ ବ୍ରୋଡ ୧ ରନ କରି ଆଉଟ୍ ହୋଇଥିଲେ। ତିନି ଜଣଙ୍କୁ ମହମ୍ମଦ ସିରାଜ ପାଭିଲିୟନ ପଠାଇଥିଲେ। ଇଂଲଣ୍ଡ ୨୮୪ ରନରେ ଅଲଆଉଟ୍ ହୋଇଛି।
