ଆଜି ଠାରୁ ବିଧାନସଭା : ପ୍ରଥମ ଦିନରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ଏଥିରେ ମୋଟ୍ ୨୪ଟି କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ଜୁଲାଇ ୩୦ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ଉପସ୍ଥାପନ ହେବ ।
ଅଧିବେଶନ ପୂର୍ବରୁ ଗତ ବୁଧବାର ଦିନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ଥର କୋଭିଡ୍ କଟକଣା ମଧ୍ୟରେ ବିଧାନସଭାର ଗୃହ କାର୍ଯ୍ୟ ୫ ଘଂଟା ପରିବର୍ତେ ୬ ଘଂଟା ଯାଏ ଚାଲିବ । ସକାଳ ଅଧିବେଶନ ୧୦.୩୦ରୁ ୧.୩୦ ଓ ଅପରାହ୍ନ ଅଧିବେଶନ ୪ଟା ରୁ ୭ଟା ପର୍ଯ୍ୟନ୍ତ ଚାଲିବ । କୋଭିଡ୍ ଦୃଷ୍ଟିରୁ ପୂର୍ବ ଅଧିବେଶନ ଗୁଡ଼ିକରେ ଗୃହକାର୍ଯ୍ୟ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲୁଥିବାବେଳେ ଏହାକୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ବିଧାନସଭାର ମୌସୁମୀ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ । ଚଳିତ ମୌସୁମୀ ଅଧିବେଶନରେ ସମୁଦାୟ ୨୪ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଜୁଲାଇ ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରାଯିବ । ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୨ରୁ ୬ ତାରିଖ ଯାଏ ଗୃହ ଚାଲିବ । ଜୁଲାଇ ୭ରୁ ୧୨ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ । ୧୩ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ଯାଏ ଚାଲିବ । ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ପ୍ରଥମ ଥର ପାଇଁ ଗୃହ ପରିଚାଳନା କରିବେ । ପଂଚାୟତ ଓ ପୌର ନିର୍ବାଚନ ପାଇଁ ଗତ ଅଧିବେଶନରେ ୨୦୨୨-୨୩ର ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତେ ରାଜ୍ୟ ସରକାର ୪ ମାସିଆ କାମଚଳା ବଜେଟ ଉପସ୍ଥାପିତ କରିଥିଲେ । ତେଣୁ ଜୁଲାଇ ୩୧ ତାରିଖ ପୂର୍ବରୁ ପୂର୍ଣ୍ଣାଙ୍ଗ ବଜେଟ୍ ଗୃହର ଅନୁମୋଦନ ଲାଭ କରିବ ।
