ଆଜି ଭିଜିବ ଅଧା ଓଡ଼ିଶା, ଏହି ୧୩ ଜିଲାକୁ ୟେଲୋୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି। ଫଳରେ ରଜ ପରଠାରୁ ବର୍ଷା ଜାରି ରହିଛି। ଆଇଏମଡି ପୂର୍ବାନୁମାନ କରିଛି ଯେ, ଜୁଲାଇ ଏକ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ। କିଛି ଜିଲ୍ଲାରେ ଘଡଘଡି, ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ସୋମବାର ଅର୍ଥାତ ଆଜି ସକାଳ ସାଢେ ଆଠଟା ପରଠାରୁ ୨୪ ଘଣ୍ଟା ପାଇଁ ୧୩ ଜିଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋୱାର୍ଣ୍ଣିଂ ଜାରି କରିଛି।
ଆଉ ଚାରି ଦିନ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। କିନ୍ତୁ ଏହି ସମୟରେ ପ୍ରାୟ ଉପକୂଳ ଜିଲ୍ଲାରେ ପାଗ ଶୁଖିଲା ରହିବ। ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଚାରିରୁ ତିନି ଦିନ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସୋମବାର ଅବିଭକ୍ତ କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହୋଇପାରେ। ଏଥିପାଇଁ ଏହି ୧୩ଟି ଜିଲ୍ଲାକୁ ୨୪ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ମଙ୍ଗଳବାର ରଜ୍ୟରେ ପ୍ରାୟତଃ ଜିଲ୍ଲାରେ ଶୁଖିଲା ପାଗ ରହିବ। ସକାଳ ସାଢେ ଆଠଟା ପରେ କୋରାପୁଟ, ମାଲକାନଗିରି, ବରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ ଓ ସୁନ୍ଦରଗଡରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। କିନ୍ତୁ ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର କୌଣସି ସତର୍କତା ଜାରି କରିନାହିଁ। ଅନ୍ୟପଟେ ବୁଧବାର ସକାଳୁ ପୁଣି ଥରେ ୧୩ ଜିଲାରେ ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ କୋରାପୁଟ, ମାଲକାନଗିରି, ବଲାଙ୍ଗିର, ବରଗଡ, ସମ୍ବଲପୁର, ବୌଦ୍ଧ, ଅନୁଗୁଳ, ଝାରସୁଗୁଡା, ସୋନପୁର, ଦେବଗଡ, କେଉଁଝର ଓ ସୁନ୍ଦରଗଡକୁ ସତର୍କ ସୂଚନା ଜାରି କରାଯାଇଛି।
