ନବୀନଙ୍କ ସହ କଥା ହେଲେ ଜେପି ନଡ୍ଡା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନପତ୍ର ଦାଖଲ ନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏଥିପାଇଁ ଓଡ଼ିଶାର ଦୁଇ ମନ୍ତ୍ରୀ ପ୍ରସ୍ତାବକ ରହିବେ ବୋଲି ସୂଚନା ମିଳିଛି । ଓଡ଼ିଶାର ୨ କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରସ୍ତାବକ ରହିବେ ବୋଲି ଜଣାପଡିଛି । ଶୁକ୍ରବାର ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ସମୟରେ ଏହି ଦୁଇମନ୍ତ୍ରୀ ଉପସ୍ଥିତ ରହିବେ ।
ଓଡ଼ିଶାରୁ ପ୍ରଥମଥର ପାଇଁ କୋଣସି ପ୍ରାର୍ଥୀ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ନିର୍ବାଚନରେ ଦଳମତ ନିର୍ବିଶେଷରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ଓଡ଼ିଶାର ସମସ୍ତ ବିଧାୟକଙ୍କୁ ଅପିଲ୍ କରିଥିଲେ । ଗୁରୁବାର ଜେପି ନଡ୍ଡାଙ୍କ ସହ ଏ ବିଷୟରେ ଆଲୋଚନା ହୋଇଥିବା ସେ କହିଛନ୍ତି । ଆସନ୍ତା କାଲି ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ସମୟରେ ବିଜେଡ଼ିରେ ଦୁଇ କ୍ୟାବିନେଟ ମନ୍ତ୍ରୀ ପ୍ରସ୍ତାବକ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ କରି ସୂଚନା ଦେଇଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମତାସୀନ ଏନଡିଏ ସରକାର ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ତେବେ ସଂଖ୍ୟା ଖେଳକୁ ଦେଖିଲେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ୍େୱାଲି ଦେଖାଯାଉଛି । କାରଣ ଏନଡିଏ ସରକାରଙ୍କୁ ଓଡ଼ିଶାର ବିଜେଡି ସମେତ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ଭଳି ଆଂଚଳିକ ଦଳ ମଧ୍ୟ ସମର୍ଥନ କରୁଛନ୍ତି । ସେହିପରି ପ୍ରାୟ ୧୩ ବିରୋଧୀ ଦଳ ମିଶି ଟିଏମସି ର ଯଶବନ୍ତ ସିଂହଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି ।
