ରାଜକୋଟ ଟି-୨୦ : ଦକ୍ଷିଣଆଫ୍ରିକାକୁ ୮୨ ରନରେ ହରାଇ ସିରିଜ ବରାବର କଲା ଭାରତ
ରାଜକୋଟ : ରାଜକୋଟ୍ରେ ବାଜି ମାରିଲା ଭାରତୀୟ ଦଳ। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୮୨ ରନର ବିଶାଳ ବ୍ୟବଧାନରେ ହରାଇ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୨ ବରାବର ସ୍ତରକୁ ଆଣିଛି ଭାରତ। ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅଭେଶ ଖାନ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦିନେଶ କାର୍ତ୍ତିକଙ୍କ ୫୫ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୪୬ ରନ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୯ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୬.୫ ଓଭରରେ ମାତ୍ର ୮୭ ରନରେ ଅଲଆଉଟ୍ ହୋଇଛି। ଦଳର ତିନି ଜଣ ବ୍ୟାଟମସ୍ୟାନ ଦୁଇ ଅଙ୍କ ଛୁଇଁ ପାରିଛନ୍ତି। ଭାନଡର ଡସେନ ସର୍ବାଧିକ ୨୦ ରନ କରିଛନ୍ତି। ଅଭେଶ ଖାନ ୧୮ ରନରେ ୪ ଓ୍ଵିକେଟ୍ ନେଇ ଦଳର ବିଜୟକୁ ସହଜ କରିଛନ୍ତି। ଆଜିର ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛି। ଜୁନ ୧୯ରେ ବେଙ୍ଗାଲୁରୁରେ ଦୁଇ ଦଳ ମଧ୍ୟରେ ନିର୍ଣ୍ଣାୟକ ମୁକାବିଲା ଖେଳାଯିବ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନିରାଶଜନକ ଥିଲା। ଦଳୀୟ ସ୍କୋର ୧୩ ରନରେ ଋତୁରାଜ ଗାଏକଓ୍ଵାଡ(୫) ପାଭିଲିୟନ ଫେରିଥିଲେ। ଶ୍ରେୟସ ଆୟର(୪) ଦଳକୁ ନିରାଶ କରିଥିଲେ। କ୍ରିଜରେ ଜମିଥିବା ଇଶାନ କିଷନ ୨୭ ରନ କରିଥିଲେ। ଅଧିନାୟକ ଋଷଭ ପନ୍ତ ପୁଣି ଥରେ ଫ୍ଲପ୍ ହୋଇଛନ୍ତି। ୧୨.୫ ଓଭରରେ ୮୧ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲରେ ଥିବା ଭାରତ ପାଇଁ ସଙ୍କଟମୋଚକ ସାଜିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦିନେଶ କାର୍ତ୍ତିକ। ଦୁଇ ବ୍ୟାଟସମ୍ୟାନ ପ୍ରଥମେ ସତର୍କତାର ସହ ବ୍ୟାଟିଂ କରିଥିଲେ। ସେଟ୍ ହେବା ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ପଞ୍ଚମ ଓ୍ଵିକେଟରେ ୬୫ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୧ ବଲରୁ ୩ଟି ଲେଖାଏଁ ଛକା ଏବଂ ଚୌକା ସହ ୪୬ ରନ କରିଥିଲେ। ଆଇପିଏଲର ଦମଦାର ଫର୍ମକୁ ବଜାୟ ରଖି ଦିନେଶ କାର୍ତ୍ତିକ ଟି-୨୦ ଅନ୍ତର୍ଜାତୀୟ ନିଜର ପ୍ରଥମ ଅର୍ଦ୍ଧଶତକ ପୂରଣ କରିଛନ୍ତି। ସେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୭ ବଲରୁ ୯ ଚୌକା ଏବଂ ୨ ଛକା ସହ ୫୫ ରନର ଦମଦାର ଇନିଂସ ଖେଳିଛନ୍ତି। ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୯ ରନ କରିଛି।
୧୭୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକା ୨୪ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। କ୍ଵିଣ୍ଟନ ଡିକକ୍ ୧୪ ରନ କରି ରନ ଆଉଟ୍ ହୋଇଥିଲେ। ବେକରେ ବଲ୍ ବାଜିବାରୁ ଅଧିନାୟକ ତେମ୍ବା ବାଭୁମା(୮) ରିଟାୟର୍ଡ ହଟ୍ ହୋଇଥିଲେ। ଏହା ପରେ ଭ୍ରମଣକାରୀ ଦଳ ଭାରତୀୟ ବୋଲିଂର ମୁକାବିଲା କରିନପାରି ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ୧୬.୫ ଓଭରରେ ୮୭ ରନରେ ଅଲଆଉଟ୍ ହୋଇଛି। ଦଳର ତିନି ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁବାକୁ ସଫଳ ହୋଇଥିଲେ। ଭାନ ଡର ଡସେନ ସର୍ବାଧିକ ୨୦ ରନ କରିଥିବା ବେଳେ ଡିକକ ୧୪ ଏବଂ ମାର୍କୋ ଜନସେନ ୧୨ ରନ କରିଛନ୍ତି। ଭାରତ ପକ୍ଷରୁ ଅଭେଶ ଖାନ ୪ ଓଭରରେ ୧୮ ରନ ଏବଂ ୪ ଓ୍ଵିକେଟ୍ ନେଇ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ୟୁଜବେନ୍ଦ୍ର ଚହଲ ୨୧ ରନ ଦେଇ ୨, ହର୍ଷଲ ପଟେଲ୍ ଏବଂ ଅକ୍ଷର ପଟେଲ୍ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ସିରିଜ୍ ୨-୨ରେ ବରାବର ହେବା ପରେ ଜୁନ ୧୯ରେ ବେଙ୍ଗାଲୁରୁରେ ଦୁଇ ଦଳ ମଧ୍ୟରେ ନିର୍ଣ୍ଣାୟକ ମୁକାବିଲା ଖେଳାଯିବ।
