ଆଜି ତୃତୀୟ ଟି-୨୦ : କର ବା ମର ସ୍ଥିତିରେ ଭାରତ, ସିରିଜ ବିଜୟ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା
ନୂଆଦିଲ୍ଲୀ : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦ । ବିଶାଖାପାଟଣାରେ ଖେଳାଯିବ ଏହି ମ୍ୟାଚ । ନୂଆଦିଲ୍ଲୀ ଓ କଟକରେ ଶୋଚନୀୟ ପରାଜୟ ବରଣ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ଏବେ ଶୃଙ୍ଖଳା ପରାଜୟ ଦ୍ବାରଦେଶରେ। ୫ ମ୍ୟାଚ୍ ଶୃଙ୍ଖଳାରେ ଏବେ ଅବଶିଷ୍ଟ ୩ ମ୍ୟାଚ୍ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ସେହି ଦୃଷ୍ଟିରୁ ଏବେ ଭାରତ ପାଇଁ ପ୍ରତିଟି ମ୍ୟାଚ୍ ‘କର ବା ମର’ ସ୍ଥିତିରେ ରହିଛି ।
ପ୍ରଥମ ୨ଟି ଯାକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତିଥିଲା ପ୍ରଥମେ ଫିଲ୍ଡିଂ କରି ଉଭୟ ମ୍ୟାଚ୍ ଜିତିଥିଲା । ମଙ୍ଗଳବାର ମଧ୍ୟ ମ୍ୟାଚ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ରାତ୍ରିରେ କାକର ପଡ଼ୁଥିବାରୁ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିବା ସହଜ ତେଣୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ସ୍ୱାଭାବିକ । ଦକ୍ଷିଣ ଆଫ୍ରିକା ୨ଟି ଯାକ ମ୍ୟାଚ୍ରେ ଟସ୍ ଜିତିଥିଲା । ଭାରତକୁ ବିକଳ୍ପ ରଣନୀତି ପ୍ରସ୍ତୁତ କରିବାକୁ ହେବ । ବୋଲିଂ ଓ ଫିଲ୍ଡିଂରେ ଉନ୍ନତି ଆଣିବାକୁ ହେବ । ଏସବୁ ସମ୍ଭବ ହେଲେ ବିଜୟ ସହଜ ହୋଇପାରିବ । ରିଷଭ ପନ୍ତଙ୍କ ଅପରିପକ୍ୱ ନେତୃତ୍ୱ ଯୋଗୁ ଭାରତ ଦ୍ୱିତୀୟ ମ୍ୟାଚ୍ରେ ପରାଜିତ ହୋଇଥିଲା । ଲୟରେ ଥିବା ବୋଲରଙ୍କୁ ଉଛିତ ସମୟରେ ବୋଲିଂ ନଦେବା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା । ମଙ୍ଗଳବାର ଭାରତ ଏକାଦଶରେ ପରିବର୍ତ୍ତନ କରିପାରେ । ଫାଷ୍ଟ ବୋଲର ଉମ୍ରାନ ମଲିକ ଓ ଅଲ୍ରାଉଣ୍ଡର ଦୀପକ ହୁଡ଼ାଙ୍କୁ ସୁଯୋଗ ମିଳିପାରେ । ଅଭେଶ ଖାନ ଓ ଅକ୍ଷର ପଟେଲ ଏକାଦଶରୁ ବାଦ ପଡ଼ି ଆଶା କରାଯାଉଛି ।
ଭାରତ ପାଇଁ ଋଷଭ ପନ୍ତଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଓ ନେତୃତ୍ବ ବଡ଼ ଚିନ୍ତାର କାରଣ ହୋଇଛି। ଫେବ୍ରୁଆରିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳା ପରଠାରୁ ପନ୍ତ୍ ଧଳାବଲରେ ଗୋଟିଏ ବି ଅର୍ଦ୍ଧଶତକ ଜମାଇନାହାନ୍ତି। ଏବେ ପରବର୍ତୀ ୩ ମ୍ୟାଚ୍କୁ ପନ୍ତ୍ କିଭଳି ହାତଉଛନ୍ତି ସବୁଠାରୁ ବଡ଼ କଥା ହେବ। ପନ୍ତ୍ ନିଜ ନେତୃତ୍ବକୁ ପ୍ରମାଣିତ କରିନପାରିଲେ ରୋହିତ ଶର୍ମା ଓ କେଏଲ୍ ରାହୁଲଙ୍କ ପରେ ହାର୍ଦିକ ପାଣ୍ଡ୍ୟା ନିଶ୍ଚିତ ଏହି ଦୌଡ଼ରେ ସାମିଲ ହୋଇଯିବେ। ବିଶେଷ କରି ପାଣ୍ଡ୍ୟାଙ୍କ ନେତୃତ୍ବରେ ଗୁଜରାଟ ଟାଇଟନ୍ସ ପଦାର୍ପଣ ଋତୁରେ ଆଇପିଏଲ୍ ଜିତିଥିବାରୁ ଏହି ସମ୍ଭାବନାକୁ ଏଡ଼ାଇ ଦେଉହେଉ ନାହିଁ। ଭାରତ ମଙ୍ଗଳବାର ମ୍ୟାଚ୍ ପାଇଁ ଦୀପକ ହୁଦାଙ୍କୁ ଖେଳାଇବା ସମ୍ଭାବନା ରହିଛି। ବ୍ୟାଟିଂ ଶକ୍ତିକୁ ବଢ଼ାଇବା ସହ ସେ ମଧ୍ୟ ଅଫସ୍ପିନ୍ ବୋଲିଂ କରିପାରିବେ। ଦକ୍ଷିଣ ଆଫ୍ରିକା ଦଳରେ ଏକାଧିକ ବାମହାତୀ ଥିବାରୁ ହୁଦାଙ୍କ ଅଫସ୍ପିନ୍ ଫଳପ୍ରଦ ହୋଇପାରିବ। ସେହିଭଳି ଅଭେସ୍ ଖାନ୍ଙ୍କ ବଦଳରେ ଉମ୍ରାନ ମଲ୍ଲିକ କିମ୍ବା ଅର୍ଶଦୀପ ସିଂହଙ୍କ ମଧ୍ୟରୁ ଜଣଙ୍କୁ ଖେଳାଇବା କଥା ମଧ୍ୟ ଭାରତୀୟ ଦଳ ଗୁରୁତ୍ତର ସହ ବିଚାର କରୁଛି। ବିଶାଖାପାଟଣା ପିଚ୍ ଲୋ ସ୍କୋରିଂର ପରମ୍ପରା ରଖିଛି। ୨୦୧୬ରେ ଶୀଲଙ୍କାକୁ ୮୨ରେ ଅଲଆଉଟ୍ କରି ଭାରତ ୧୪ ଓଭର ଭିତରେ ଜିତିଥିଲା। ୨୦୧୯ରେ କିନ୍ତୁ ଭାରତକୁ ୧୨୬ ରନ୍ରେ ରୋକି ଅଷ୍ଟ୍ରେଲିଆ ୭ ୱିକେଟ୍ରେ ଜିତିଯାଇଥିଲା। ଉଭୟ ପେସ୍ ଓ ସ୍ପିନ୍ ବୋଲର ଏଠାରେ ସଫଳ ହେଉଥିବା ଦେଖିବାକୁ ମିଳିଛି। ଅର୍ଥାତ୍ ଏହି ଟ୍ରାକ୍ ମଧ୍ୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ଜଟିଳ ରହିବ ବୋଲି ଆକଳନ କରାଯାଉଛି। ମ୍ୟାଚ୍ ପୂର୍ବତନ ସ୍ବଳ୍ପ ବର୍ଷା ହୋଇଥିଲେ ମଧ୍ୟ ମଙ୍ଗଳବାର ବର୍ଷା ସମ୍ଭାବନା ୨୦ ପ୍ରତିଶତ ରହିଛି।
ସମ୍ଭାବ୍ୟ ଭାରତ ଏକାଦଶ : ଈଶାନ କିଶନ, ଋତୁରାଜ ଗାଏକ୍ବାଡ, ଶ୍ରେୟସ ଆୟର/ଦୀପକ ହୁଦା, ଋଷଭ ପନ୍ତ୍ (ଅଧିନାୟକ ଓ ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତିକ, ଅକ୍ଷର ପଟେଲ୍, ହର୍ଷଲ ପଟେଲ୍, ଅଭେସ୍ ଖାନ୍/ଉମ୍ରାନ ମଲ୍ଲିକ/ଅର୍ଶଦୀପ ସିଂହ, ଭୁବନେଶ୍ବର କୁମାର, ୟୁଝବେନ୍ଦ୍ର ଚହଲ୍।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଏକାଦଶ : ରିଜା ହେଣ୍ଡ୍ରିକ୍ସ, ତେମ୍ବା ବଭୂମା, ରାଶି ଭାନ୍ ଡର୍ ଦସେନ୍, ଡେଭିଡ୍ ମିଲର, ହେନରିକ କ୍ଲାସେଁ, ଡ୍ବାଇନ୍ ପ୍ରିଟୋରିୟସ୍, ୱନ ପାର୍ନେଲ, କାଗିସୋ ରବାଦା, ଲୁଙ୍ଗି ଏନଗିଡି/କେଶବ ମହାରାଜ, ଅନରିକ୍ ନର୍ଖିୟା, ତାବ୍ରାଇଜ ସାମସୀ।
