ଆଜି ପହିଲି ରଜ ! ହାତରେ ମେହେନ୍ଦି, ମୁଣ୍ଡରେ କୁଙ୍କୁମ ଓ ପାଦରେ ଅଳତା ସହ ନୂଆ ପୋଷାକରେ ଝିଅମାନେ ସଜବାଜ ହୋଇଥାନ୍ତି
ଆଜି ପହିଲି ରଜ । ଗାଁରୁ ସହର, ପଲ୍ଲୀରୁ ଦିଲ୍ଲୀ , ସବୁଠି ଉତ୍ସବର ମାହୋଲ୍ । ପିଲା, ବୁଢା ସମସ୍ତେ ପାଳୁଛନ୍ତି ଏହି ପାରମ୍ପରିକ ପର୍ବ । ବନ୍ଧୁବାନ୍ଧବରେ ଘରଦ୍ୱାର ପୁରି ଉଠିଛି । ଘରେ ଘରେ ଏବେ ପୋଡ ପିଠାର ମହକ । ପୋଡ ପିଠା, ନଡିଆ କୋରାଠୁ ଆରମ୍ଭ କରି ଜନ୍ତା ଯାଏଁ ପିଠାର ମହକରେ ଫାଟି ପଡୁଛି ଗାଁ ଦାଣ୍ଡ । ରଜ ପାଳିବାକୁ ହାତରେ ମେହେନ୍ଦି , ଗୋଡରେ ଅଳତା ସହ ମୁଣ୍ଡରେ କୁଙ୍କୁମ ଲଗାଇ ସଜେଇ ହେଉଛନ୍ତି ଯୁବତୀ । ରଜକୁ ନେଇ ପିଲାଠୁ ବୁଢା ଯାଏଁ ସମସ୍ତେ ଲାଗିପଡିଛନ୍ତି । ରଜ ଦୋଳି ଖେଳ ବିନା ରଜ ଅଧୁରା । ତେଣୁ ବାଉଁସ କଟାଯାଇ ଦୋଳି ପ୍ରସ୍ତୁତି ହୋଇଛି। କେବଳ ସେତିକି ନୁହେଁ ଲୁଡୁ ସହ ତାସ୍ ଖେଳ ବି ଜମିଲାଣି । ହେଲେ ଏସବୁ ଭିତରେ ଗୋଟିଏ ଜିନିଷର ରହିଛି ରଜରେ ବେସ୍ ଚାହିଦା । ରଜ ପାନ । କଥାରେ ଅଛି ରଜ ପାନ ବିନା ରଜର ମଜ୍ଜା ଫିକା । ଆଧୁନିକତାର ସ୍ପର୍ଶରେ ଏବେ ବି ଗାଁ ଗହଳିର ଲୋକ ମାନେ ରଜ ପର୍ବକୁ ଧୁମ୍ ଧାମ୍ ପାଳନ କରିଥାନ୍ତି ।
ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ବସୁମତୀ ସ୍ନାନ ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି ।
‘ରଜ ପର୍ବ’ ପାଇଁ ଆଜି ସାରା ରାଜ୍ୟ ଉତ୍ସବ ମୁଖର । ଓଡ଼ିଶାର ପାମ୍ପରିକ ଗଣ ପର୍ବ ରଜ ପର୍ବ। ତିନିଦିନଧରି ଓଡ଼ିଶାର ସହର ଠାରୁ ପୁରପଲ୍ଲୀରେ ରଜର ଆସର ଘରେ ଘରେ ଜମିଥାଏ। ରଜ ପର୍ବର ପ୍ରଥମ ଦିନ ପହିଲି ରଜ । ବୃଷ ମାସର ଶେଷ ଦିନ, ମିଥୁନ ମାସର ଆରମ୍ଭ ଓ ତା ପରଦିନ ଏହି ଦିନରେ ରଜ ପର୍ବ ପାଳନ କରାଯାଏ । ପ୍ରଥମ ଦିନକୁ ପହିଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ । ଚତୁର୍ଥ ଦିନ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ । ରଜ ପର୍ବର ଆସର ରଜଦୋଳି ଓ ପୋଡ଼ପିଠାରେ ଅଧିକ ଜମିଥାଏ। ପୋଡ଼ପିଠା ଖିଆଯାଏ ଯେତିକି, ବଣ୍ଟାଯାଏ ତା’ଠୁ ଅଧିକ। ଧନୀ-ଗରିବ ଜାତିଭେଦ ନିର୍ବିଶେଷରେ ସମସ୍ତଙ୍କ ଘରେ ଏହି ପର୍ବ ପାଳିତ ହୋଇଥାଏ। ପାରମ୍ପରିକ ରଜ ପର୍ବ ପାଇଁ ଗାଁରୁ ସହର, ଚାରିଅଡେ ଆଜି ଉତ୍ସବର ପରିବେଶ । ଘରେ ଘରେ ଏବେ ପୋଡ ପିଠା ଓ ରଜ ପାନର ଆସର । ହାତରେ ମେହେନ୍ଦି, ମୁଣ୍ଡରେ କୁଙ୍କୁମ ଓ ପାଦରେ ଅଳତା ସହ ନୂଆ ପୋଷାକରେ ଝିଅମାନେ ଗାଁ ଗାଁ ବୁଲିବା ସହିତ ରଜ ଦୋଳି ଖେଳ ଓ ଗୀତର ସ୍ବର ଏକ ଭିନ୍ନ ପରିବେଶ ସୃଷ୍ଟି କରିଛି ।
