ନାତି-ନାତୁଣୀଙ୍କୁ ପାଖରେ ଜେଜେବାପା ଓ ଜେଜେମାଆଙ୍କ ବୟସ ହାର ମାନିଥାଏ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ନାତି-ନାତୁଣୀଙ୍କୁ ପାଖରେ ଜେଜେବାପା ଓ ଜେଜେମାଆ ଅଧିକ ଉତ୍ସାହିତ ହୋଇ ଉଠନ୍ତି । ବୟସ ସେମାନଙ୍କ ନିକଟରେ ହାର ମାନିଥାଏ । କୋଭିଡରେ ପିତାମାତାଙ୍କୁ ହରାଇଥିବା ଏକ ପାଞ୍ଚବର୍ଷୀୟ ବାଳକର ଲାଳନପାଳନ ପାଇଁ ସୁପ୍ରିମକୋର୍ଟ ଜେଜେବାପା ଓ ଜେଜେମାଆଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ବାପା-ମାଆଙ୍କ ମୃତ୍ୟୁ ପରେ ପିଲାଟି ତା ମାଉସୀ ପାଖରେ ରହୁଥିବା ବେଳେ ନାତିକୁ ପାଖରେ ରଖିବା ପାଇଁ ୭୨ ବର୍ଷୀୟ ବୃଦ୍ଧ ଏବଂ ତାଙ୍କ ପତ୍ନୀ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ।
ହାଇକୋର୍ଟ ପିଲାଟିର ଭରଣପୋଷଣ ଦାୟିତ୍ୱ ମାଉସୀକୁ ହସ୍ତାନ୍ତର କରିବା ପରେ ତାର ଜେଜେବାପା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଶୁଣାଣି ବେଳେ ମାଉସୀଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ , ପିଲାଟିର ମାଉସୀ ଅବିବାହିତା ଏବଂ ଆତ୍ମ ନିର୍ଭରଶୀଳ । ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିବା ବେଳେ ପିଲାଟିର ଉଜ୍ୱଳ ଭବିଷ୍ୟତ ପାଇଁ ଭରଣପୋଷଣ ଦାୟିତ୍ୱ ସେ ନେଇପାରିବେ । ଅପରପକ୍ଷରେ ପିଲାଟିର ଜେଜେବାପା ଓ ଜେଜେମାଆଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା , ସେ ଅହମଦାବାଦର ବାସିନ୍ଦା ହୋଇଥିବା ବେଳେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ । ଅହମଦାବାଦରରେ ପିଲାଟିର ପାଠ ପଢା ମଧ୍ୟ ଭଲ ହୋଇପାରିବ । ପିଲାଟିର ମାଉସୀ ଦାହୋଡ ଅଞ୍ଚଳରେ ରୁହନ୍ତି ଏହାଦ୍ୱାରା ବୃଦ୍ଧ ଦମ୍ପତିଙ୍କୁ ନାତିକୁ ଦେଖା କରିବାରେ ମଧ୍ୟ ଅସୁବିଧା ଉପୁଜୁଛି । ଏହାଛଡା ପିଲାଟିର ସମସ୍ତ ଦାୟିତ୍ୱ ବହନ କରିବା ପାଇଁ ସେମାନେ ସକ୍ଷମ ।
ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ନାତି-ନାତୁଣୀଙ୍କୁ ପାଖରେ ଜେଜେବାପା ଓ ଜେଜେମାଆଙ୍କ ବୟସ ହାର ମାନିଥାଏ । ସେମାନେ ଅଧିକ ଉତ୍ସାହିତ ହୋଇ ଉଠନ୍ତ । ତାଙ୍କ ଭିତରରେ ଶକ୍ତି ଭରିଯାଏ । ନିଜର ପୁଅବୋହୂଙ୍କୁ ହରାଇବା ପରେ ନାତି ହିଁ ତାଙ୍କର ଆଶାବାଡି । ତେଣୁ ପିଲାଟିର ଭରଣପୋଷଣର ସମସ୍ତ ଦାୟିତ୍ୱ ତାର ଜେଜେବାପା ଓ ଜେଜେମା ପାଇବାକୁ ହକଦାର । ସୁପ୍ରିମକୋର୍ଟରେ ଜଷ୍ଟିସ ଏମ୍.ଆର୍ ଶାହା ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷ ଏହି ମାମଲାର ଶୁଣାଣି କରିଥିଲେ ।
